ଦିନେ ଦୈନିକ ରୋଜଗାର ଥିଲା ୨ ଟଙ୍କା,ଆଜି ୨ହଜାର କୋଟି ସମ୍ପତ୍ତିର ମାଲିକାଣୀ

Published By : Prameya-News7 Bureau | May 21, 2023 IST

ନୂଆଦିଲ୍ଲୀ ୨୧।୦୫: ଅବହେଳିତ ବାଲ୍ୟକାଳ, ସ୍ବଳ୍ପ ଶିକ୍ଷା, ବାଲ୍ୟବିବାହ  ।  ଏହାପରେ ଶାଶୂଘର ଲୋକଙ୍କର ଅକଥନୀୟ ନିର୍ଯାତନା ଏବଂ ପରେ ବିଚ୍ଛେଦ  । କିନ୍ତୁ ସଫଳତା ପାଇବାରେ ଏସବୁ ହୋଇପାରିନଥିଲା ବାଧା । ସବୁ ବାଧା ଅତିକ୍ରମ କରି ଉଦ୍ୟୋଗ ଜଗତରେ ପାଇଛନ୍ତି ଈର୍ଷଣୀୟ ସଫଳତା । ଆଜି ଭାରତର ଜଣେ ଜଣାଶୁଣା ଶିଳ୍ପପତି । ଦିନ ଥିଲା ମାତ୍ର ୨ ଟଙ୍କା ପାଇଁ କରୁଥିଲେ ଚାକିରୀ । ଆଜି ସମ୍ଭାଳୁଛନ୍ତି ୭୦୦ କୋଟିର କାରବାର ।

{"id":789733,"width":841,"height":473,"sizeSlug":"full","linkDestination":"none"}

ଏ ହେଉଛନ୍ତି କଳ୍ପନା ସରୋଜ । ୧୯୬୧ରେ ମହାରାଷ୍ଟ୍ରର ରୁପରଖେଡା ଗାଁରେ ଦଳିତ ପରିବାରରେ ତାଙ୍କର ଜନ୍ମ । ବାପା ଥିଲେ ପୁଲିସ କନେଷ୍ଟବଳ । ତିନି ଭଉଣୀ ଏବଂ ଦୁଇ ଭାଇଙ୍କ ମଧ୍ୟରେ ସେ ଥିଲେ ସମସ୍ତଙ୍କଠୁ ବଡ଼ । ପିଲାବେଳେ ଗାଁ ପ୍ରାଥମିକ ସ୍କୁଲରେ ପାଠ ପଢ଼ିବା ପାଇଁ ନାଁ ଲେଖାଇଥିଲେ । କିନ୍ତୁ ଦଳିତ ପରିବାରର ହୋଇଥିବାରୁ ଭେଦଭାବର ଶିକାର ହେବାକୁ ପଡ଼ିଥିଲା କଳ୍ପାନାଙ୍କୁ ।

{"id":789734,"width":839,"height":974,"sizeSlug":"full","linkDestination":"none"}

ପାଠ ପଢ଼ିବାକୁ ଇଛା ଥିଲେ ବି ବହି ବସ୍ତାନି ଛାଡ଼ି ମାତ୍ର ୧୨ ବର୍ଷ ବୟସରେ ବାହା ହେବାକୁ ସେ ହୋଇଥିଲେ ବାଧ୍ୟ । ବାହାଘର ପରେ ମୁମ୍ବାଈର ଏକ ବସ୍ତି ଅଂଚଳରେ ତାଙ୍କ ଶାଶୁଘର ପରିବାର ସହିତ ଆସି ରହିଥିଲେ କଳ୍ପନା । ସେଠାରେ ତାଙ୍କୁ ବହୁତ ନିର୍ଯ୍ୟାତନା ସହିବାକୁ ପଡ଼ିଥିଲା । ବାହାଘରର ମାତ୍ର ୬ ମାସ ପରେ ବାପା ତାଙ୍କୁ ନିଜ ପାଖକୁ ନେଇ ଆସିଥିଲେ ।  ଶାଶୁଘର ଛାଡ଼ି ଆସିଥିବାରୁ ଅନେକ କଥା ଶୁଣିବାକୁ ପଡ଼ୁଥିଲା ।

{"id":789735,"width":841,"height":463,"sizeSlug":"full","linkDestination":"none"}

ସବୁଆଡ଼ୁ ହତାଶ ହେବାପରେ ଦିନେ ଏମିତି ଆସିଥିଲା କି ସେ କୀଟନାଶକ ଖାଇ ଆତ୍ମହତ୍ୟା କରିଦେବାକୁ ଉଦ୍ୟମ କରିଥିଲେ ।  ମାତ୍ର ପରିବାର ସଦସ୍ୟଙ୍କ ଚେଷ୍ଟା ଯୋଗୁଁ ଜୀବନ ରହି ଯାଇଥିଲା । ମୃତ୍ୟୁମୁଖରୁ ବଂଚିବା ପରେ ସେ ବୁଝିପାରିଲେ ଜୀବନର ମୂଲ୍ୟ । ପରେ ମୁମ୍ବାଈରେ ରହୁଥିବା ତାଙ୍କ ମାମୁଁଙ୍କୁ ପାଖରେ ଆସି ଆସିଲେ ଏବଂ ଗୋଟିଏ ପୋଷାକ ତିଆରି କରାଖାନାରେ କାମ କରିଥିଲେ । ଆଉ ଦୈନିକ ତାଙ୍କର ରୋଜଗାର ଥିଲା ମାତ୍ର ୨ ଟଙ୍କା । କିଛି ଦିନ ପରେ ମୁଖ୍ୟ ସିଲେଇ କାରିଗର ଭାବରେ ଅଧିକ ଟଙ୍କା ତାଙ୍କୁ ମିଳିଥିଲା ।

{"id":789736,"width":839,"height":839,"sizeSlug":"full","linkDestination":"none"}

ଦଳିତଙ୍କ ପାଇଁ ସରକାରୀ ଆର୍ଥିକ ସାହାଯ୍ୟ ଥିବା କଥା ଯେତେବେଳେ କଳ୍ପନା ଜାଣିବାକୁ ପାଇଲେ ସେତେବେଳେ ନିଜର ଏକ ଟେଲରିଂ ୟୂନିଟ୍ ଖୋଲିଲେ ଏବଂ ବ୍ୟବସାୟ ବଢ଼ାଇବା ପାଇଁ ସେ କଲେ ଅକ୍ଳାନ୍ତ ପରିଶ୍ରମ । ଆଉ ଲାଭ ହେବା ପରେ ସେଥିରେ ବଢାଇଥିଲେ ନିଜର ବ୍ୟବସାୟ । ସେତେବେଳଙ୍କୁ ତାଙ୍କୁ ବୟସ ମାତ୍ର ହୋଇଥିଲା ୨୨ ବର୍ଷ । ୧୯୮୦ରେ ସମୀର ସରୋଜ ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ଦ୍ବିତୀୟ ବିବାହ କଲେ । ଆଉ ତାଙ୍କର ୨ ଟି ସନ୍ତାନ ହେବା ପରେ ୧୯୮୯ରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା ।

{"id":789737,"width":837,"height":587,"sizeSlug":"full","linkDestination":"none"}

ଦିନେ ଏକ ଜମିକୁ ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ କିଣିଥିଲେ ।  ସେହି ଜାଗାକୁ ନେଇ ସେ ଆରମ୍ଭ କଲେ ନିଜର ରିୟଲ ଇଷ୍ଟେଟ୍ ବିଜିନେସ୍ । ସେ ଏକ ଦେବାଳିଆ ସଂସ୍ଥାର ଦାୟିତ୍ୱ ହାତକୁ ନେଇଥିଲେ ଏବଂ ପ୍ରମାଣିତ କରିଥିଲେ ଯେ ତାଙ୍କ ଦ୍ୱାରା କିଛି ବି ଅସମ୍ଭବ ନୁହେଁ । କଳ୍ପନା ହେଉଛନ୍ତି କମ୍ପାନୀ ଟ୍ୟୁବ୍‌ସର ମାଲିକାଣୀ ଏବଂ ସିଇଓ  । ଏବେ ସେ ୨ ହଜାର କୋଟିରୁ ଅଧିକ ଟଙ୍କାର ଏକ ବ୍ୟବସାୟିକ ସାମ୍ରାଜ୍ୟର ମାଲିକାଣୀ ।

{"id":789738,"width":839,"height":792,"sizeSlug":"full","linkDestination":"none"}

କଳ୍ପନା ସରୋଜଙ୍କ ସଫଳତାର କାହାଣୀ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଅନେକଙ୍କୁ ପ୍ରେରଣା ଦେଇଛି । ଅନେକ ପୁରସ୍କାର ଓ ସମ୍ମାନ ସହିତ ତାଙ୍କୁ ୨୦୧୩ ମସିହାରେ ଭାରତର ପ୍ରଥମ ସଫଳ ମହିଳା ଉଦ୍ୟୋଗୀ ଭାବରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.