ସୁଜିତଙ୍କୁ ସାଙ୍ଗମାନେ ହେଲେ ସାହା : ବଡ଼ ଦାଣ୍ଡରେ ଭିକ ମାଗୁଥିବା ଉଚ୍ଚଶିକ୍ଷିତ ସୁଜିତ ପାଢ଼ୀ ଏବେ ବଡ଼ ଡାକ୍ତରଖାନାରେ

Published By : Prameya-News7 Bureau | February 22, 2020 IST

ଭୁବନେଶ୍ୱର ୨୨/୨: ଭଲ ବନ୍ଧୁ ଥିଲେ ଜୀବନ ସାର୍ଥକ ହୋଇଯାଏ । ବିପଦ ଆପଦରେ ସେ ହିଁ ସାହା ହୁଏ । ପୁରୀ ବଡ଼ଦାଣ୍ଡରେ ଅସହାୟ ହୋଇ ବୁଲୁଥିବା ସୁଜିତ୍‌ ପାଢ଼ି ଓରଫ୍‌ ବୁଟୁ ନାମକ ଜଣେ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇ ଉଦାହରଣ ସୃଷ୍ଟି କରିଛନ୍ତି ତାଙ୍କର କେତେଜଣ କଲେଜ ବେଳର ସାଙ୍ଗ । ସେମାନଙ୍କ ମଧ୍ୟରେ ମୁଖ୍ୟ ଭୂମିକା ନିଭାଇଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ । କେବଳ ଜଣେ ଦାୟିତ୍ୱବାନ ପୁଲିସ ଅଫିସର ଭାବେ ନୁହେଁ, ବଂର ଜଣେ ଦରଦୀ ସାଙ୍ଗ ଭାବେ ଖୋଲା ହୃଦୟରେ ତାଙ୍କ ଚିକିତ୍ସାର ସମସ୍ତ ଦାୟିତ୍ୱ ନେଇଛନ୍ତି ।
  

ସୁଜିତ ଜଣେ ମେଧାବୀ ଛାତ୍ର ଥିଲେ । ଡ. ଷଡ଼ଙ୍ଗୀ ତାଙ୍କ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିଲେ । ସେତେବେଳେ ଡ. ଷଡ଼ଙ୍ଗୀ ଅର୍ଥନୀତିରେ ପିଜି କରୁଥିବାବେଳେ ସୁଜିତ୍‌ ତାଙ୍କ ଭଲ ସାଙ୍ଗ ଥିଲେ । ଉଭୟେ ଏକାଠି ଅନେକ ସମୟ ବିତାଇଛନ୍ତି । ପରେ ଡ. ଷଡ଼ଙ୍ଗୀ ଉଚ୍ଚ ଶିକ୍ଷା ହାସଲ କରିଥିଲେ । ମାତ୍ର ଓଏଏସ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ସୁଜିତ୍‌ ମାନସିକ ସନ୍ତୁଳନ ହରାଇ ବସିଥିଲେ ।

ଗତ ୧୭ ତାରିଖରେ ‘ପ୍ରମେୟ’ରେ ସୁଜିତ୍‌ଙ୍କ ଦୁରାବସ୍ଥା ଖବର ପ୍ରକାଶ ପାଇବା ପରେ ଡ. ଷଡ଼ଙ୍ଗୀ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏକ ୱାଟ୍‌ସ ଆପ ଗ୍ରୁପ୍‌ କରି ତାଙ୍କ ବ୍ୟାଚ୍‌ର ଅନ୍ୟ ସାଙ୍ଗମାନଙ୍କୁ ଏକାଠି କରିଥିଲେ ଓ ସୁଜିତଙ୍କୁ କଟକ ବଡ଼ମେଡିକାଲ ଆଣି ମାନସିକ ରୋଗ ଚିକିତ୍ସା ୱାର୍ଡରେ ଭର୍ତ୍ତି କରାଇଥିଲେ । ସମସ୍ତେ ନିଜର ସୀମିତ ରୋଜଗାରରୁ ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି । ସୁଜିତଙ୍କୁ ସମ୍ପୂର୍ଣ୍ଣ ଭଲ କରାଇବା ଯାଏଁ ସାଙ୍ଗମାନଙ୍କ ସହଯୋଗ ଜାରି ରହିବ ବୋଲି ଡ. ଷଡ଼ଙ୍ଗୀ କହିଛନ୍ତି । ଡାକ୍ତରଙ୍କ ସୂଚନା ମୁତାବକ ସୁଜିତ୍‌ଙ୍କ ମାନସିକ ସ୍ଥିତି ଏବେ ଭଲ ନାହିଁ । ତାଙ୍କୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ଦୀର୍ଘଦିନର ଚିକିତ୍ସା ଆବଶ୍ୟକ । ଆସନ୍ତାକାଲି ତାଙ୍କ ଶରୀରରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା ସମ୍ପର୍କରେ ନିଷ୍ପତ୍ତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.