ନାବାଳକ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ; ମୋବାଇଲ ନଦେବାରୁ ହତ୍ୟା କରିଥିଲା ସାଙ୍ଗ
20/12/2018 at 12:40 PM

କେନ୍ଦୁଝର ୨୦|୧୨: କେନ୍ଦୁଝର ଯୋଡ଼ା ଥାନା ଲହଣ୍ଡା କଳାପାହାଡ଼ ନିକଟରେ ନାବାଳକ ଚନ୍ଦନ ମୁଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ମୋବାଇଲ୍ ପାଇଁ ଚନ୍ଦନକୁ ତାର ଜଣେ ସାଙ୍ଗ ହତ୍ୟା କରିଥିବା ଜଣାପଡ଼ିଛି । ତାର ନାବାଳକ ସାଙ୍ଗ ଏହି ହତ୍ୟାକାଣ୍ଡ ଘଟାଇଥିବା କହିଛି।
ମଙ୍ଗଳବାର ଅପରାହ୍ନରେ ଚନ୍ଦନ ତାର ସାଙ୍ଗ ସହିତ କୁକୁଡ଼ା ମାଂସ କିଣିବା ପାଇଁ ସ୍ଥାନୀୟ କଳାପାହାଡ଼ ଗାଁକୁ ଯାଇଥିଲେ। ତେବେ ଗତକାଲି ଚନ୍ଦନକୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ବେଳେ ତାର ବେକରେ ଏକ ଗଞ୍ଜି ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା । ପରେ ତାକୁ ଡାକ୍ତରଖାନା ନେବା ସମୟରେ ମୃତ୍ୟୁ ଘଟିଥିଲା । ତେବେ ଚନ୍ଦନ ପାଖରେ ଥିବା ମୋବାଇଲ ଫୋନ୍ ହିଁ ତାର ମୃତ୍ୟୁର କାରଣ ବୋଲି ପୋଲିସ ତଦନ୍ତରୁ ସ୍ପଷ୍ଟ ହେଉଛି। ଚନ୍ଦନ ତା ପାଖରେ ଥିବା ମୋବାଇଲ୍ ଫୋନ ସାଙ୍ଗମାନଙ୍କୁ ଦେଉନଥିବାରୁ ଏଥିରେ ଜଣେ ସାଙ୍ଗ ଉତ୍ୟକ୍ତ ହୋଇ ତାକୁ ହତ୍ୟା କରିଥିଲା । ପ୍ରଥମେ ଚନ୍ଦନର ମୁଣ୍ଡକୁ ପିଟିବା ସହିତ ବୁଦା ଭିତରକୁ ନେଇ ବେକରେ ନିଜ ଗଞ୍ଜି ଲଗାଇ ଚିପି ଦେଇଥିଲା ।