୨୪ ଘଣ୍ଟା ଭିତରେ ଦ୍ୱିତୀୟ ଭୂମିକମ୍ପ, ୭.୬ ତୀବ୍ରତାରେ ପୁଣି ଥରିଲା ତୁର୍କୀ, ୧୩୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା
6/02/2023 at 5:19 PM

ନୂଆଦିଲ୍ଲୀ: ରବିବାର ରାତିରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଭୁଶୁଡି ପଡିଥିବା ଘର ତଳୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ସରି ନଥିବା ବେଳେ ତୁର୍କୀ ଅନୁଭବ କରିଛି ଆଉ ଏକ ବଡ଼ ଭୂମିକମ୍ପ । ତୁର୍କୀରେ ୭.୬ ତୀବ୍ରତାର ଦ୍ୱିତୀୟ ଭୂମିକମ୍ପ ଅନୁଭବ ହୋଇଛି । ଭୂମିକମ୍ପରେ ପୁଣି ଥରେ ଲୋକେ ଭୟଭିତ ହୋଇଛନ୍ତି । ଜୀବନ ରକ୍ଷା ପାଇଁ ସୁରକ୍ଷିତ ସ୍ଥାନର ସନ୍ଧାନ କରୁଛନ୍ତି । ଦ୍ୱିତୀୟ ଭୂମିକମ୍ପ ତୁର୍କୀର ଦକ୍ଷିଣ ପୂର୍ବ ଅଞ୍ଚଳରେ ଅଧିକ ଅନୁଭୂତ ହୋଇଛି । ଏହି ଅଞ୍ଚଳରେ ହିଁ ଭୂମିକମ୍ପର କେନ୍ଦ୍ର ଥିବା କୁହାଯାଉଛି ।
ଏହା ପୂର୍ବରୁ ରବିବାର ରାତିରେ ୭.୮ ତୀବ୍ରତାରେ ଭୂମିକମ୍ପ ଅନୁଭବ ହୋଇଥିଲା । ଏହି ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧୩୦୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇସାରିଛି । ୭ ରାଜ୍ୟରେ ଭୂମିକମ୍ପକୁ ଅନୁଭବ କରାଯାଇଥିଲା ଏବଂ ଶହ ଶହ ବିଲ୍ଡିଂ, ଘର ଭୁଶୁଡି ପଡିଥିଲା ।

ଧ୍ୱଂସାବଶେଷ ତଳୁ ଲୋକଙ୍କ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ସିରିଆରେ ମଧ୍ୟ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଛି । ମୃତ୍ୟୁ ସଂଖ୍ୟା ଲଗାତାର ବଢି ଚାଲିଛି । ଲୋକମାନେ ଶୋଇବା ସମୟରେ ତୁର୍କୀ ଏବଂ ସିରିଆରେ ଭୂମିକମ୍ପ ହୋଇଥିଲା । ଏହି କାରଣରୁ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇପାରିଲେ ନାହିଁ । ଭୂମିକମ୍ପର ତୀବ୍ରତା ସହ ଏହାର ଅବଧି ମଧ୍ୟ ଏହି ଭୟଙ୍କର ତାଣ୍ଡବ ପଛର ଏକ କାରଣ ଅଟେ । ଏହି ଭୂମିକମ୍ପର ଅବଧି ପ୍ରାୟ ୧ ମିନିଟ ଯାଏ ରହିଥିଲା । ସାଧାରଣତଃ ଏତେ ସମୟ ଧରି ଭୂମିକମ୍ପ ହୋଇ ନଥାଏ । ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ଭାରତରୁ ଦୁଇଟି ଏନଡିଆରଏଫ ଟିମ ତୁର୍କୀ ଯିବ ।