ଫ୍ରେଞ୍ଚ ଓପନ ୨୦୨୪, କାର୍ଲୋସ ଅଲକାରାଜ ଚାମ୍ପିଅନ, ଜିତିଲେ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ୍

Published By : Prameya-News7 Bureau | June 10, 2024 IST

ପ୍ୟାରିସ, ୧୦/୦୬: ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିଲେ କାର୍ଲୋସ ଅଲକାରାଜ । ଆଲେକଜାଣ୍ଡର ଭେରେଭଙ୍କୁ ହରାଇ ସେ କ୍ୟାରିୟରରେ ପ୍ରଥମ ଫ୍ରେଞ୍ଚ୍‌ ଓପନ ଚାମ୍ପିଅନ ହୋଇଛନ୍ତି । ପୂର୍ବରୁ ଟପ୍‌ ସିଡ୍‌ ଖେଳାଳିମାନେ ଧରାସାୟୀ ହେବା ପରେ ଫ୍ରେଞ୍ଚ୍‌ ଓପନ ଫାଇନାଲରେ ମୁହାଁମୁହିଁ ହୋଇଥିଲେ କାର୍ଲୋସ ଅଲକାରାଜ ଏବଂ ଆଲେକଜାଣ୍ଡର ଭେରେଭ । ଶେଷରେ ୫ ସେଟର ଲଢ଼େଇରେ ଅଲକାରାଜ  ୬-୩, ୨-୬, ୫-୭, ୬-୧ ଓ ୬-୨ରେ ବିଜୟୀ ହୋଇ ଜିତିଥିଲେ ।  

ବିଶ୍ୱର ୩ ନମ୍ବର ଖେଳାଳି ସ୍ପେନର ଅଲକାରାଜ ଏବଂ ୪ ନମ୍ବର  ଖେଳାଳି ଜର୍ମାନୀର ଭେରେଭ ଫ୍ରେଞ୍ଚ  ଓପନରେ ପ୍ରଥମ ଟାଇଟଲ ଜିତିବା ନେଇ କୋର୍ଟକୁ ଓହ୍ଲାଇଥିଲେ । ବେଶ ସଂଘର୍ଷପୂର୍ଣ୍ଣ ଥିଲା ଫାଇନାଲ ଲଢ଼େଇ । ୪  ଘଣ୍ଟା ୧୯ ମିନିଟ ଧରି ଚାଲିଥିଲା ମ୍ୟାଚ୍‌ ।  

ଯୁବ ତାରକା ଅଲକାରାଜ କ୍ୟାରିୟରରେ ତୃତୀୟ ଏବଂ ଭେରେଭ  ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ ଜିତିବା ନେଇ ନିଜ ନିଜର ସମସ୍ତ ଶକ୍ତି ଓ ରଣନୀତି ପ୍ରୟୋଗ   କରିଥିଲେ । ପ୍ରଥମ ସେଟ୍‌ରେ ଅଲକାରାଜ ୬-୩ରେ ଅଗ୍ରଣୀ ହେବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ଦ୍ୱିତୀୟ ସେଟ୍‌କୁ ୬-୨ରେ  କବ୍‌ଜା କରିଥିଲେ ଭେରେଭ ।  

ତୃତୀୟ ସେଟ୍‌ରେ (୭-୫) ମଧ୍ୟ ନିଜର ଦବଦବା ଜାହିର କରିଥିଲେ । ଚତୁର୍ଥ ସେଟ୍‌ରେ ପୁଣି ଚମକପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ସହ ଅଲକାରାଜ ଏକତରଫା ଭାବେ ୬-୧ରେ ଜିତି ନେଇଥିଲେ । ପଞ୍ଚମ ସେଟ୍‌ରେ ମଧ୍ୟ ସେ ନିଖୁଣ ଖେଳ ପ୍ରଦର୍ଶନ କରି ଭେରେଭଙ୍କୁ କୌଣସି ସୁଯୋଗ ଦେଇନଥିଲେ ।  ମାତ୍ର ୨୧ ବର୍ଷ ବୟସରେ ଅଲକାରାଜ ତୃତୀୟ ଗ୍ରାଣ୍ଡସ୍ଲାମ ଜିତିବାରେ ସଫଳ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.