ନୂଆଦିଲ୍ଲୀ: ଟେଲିଗ୍ରାମକୁ ନେଇ କେବଳ ବିବାଦ ନୁହେଁ ବରଂ ବିପଦରେ ମେଜେସିଂ ଆପ୍ । ବନ୍ଦ ହେବା ଦ୍ବାର ଦେଶରେ ପହଞ୍ଚିଛି ଟେଲିଗ୍ରାମ୍ । ହ୍ବାଟ୍ସଆପକୁ କଡ଼ା ଟକ୍କର ଦେଉଥିବା ଏହି ଆପ୍ଲିକେସନ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । କଣ୍ଟେଣ୍ଟ ମଡରେସନ ପ୍ରତି ବିପଦ ଆଶଙ୍କା କରି ସିଇଓ ପାଭେଲ୍ ଡୁରୋଭଙ୍କୁ ପ୍ୟାରିସରେ ଫ୍ରାନ୍ସ ପୋଲିସ୍ ଗରିଫ କରିଥିଲା । ଏବେ ସେ ଜାମିନରେ ବାହାରିଥିଲେ ମଧ୍ୟ, ଟେଲିଗ୍ରାମ୍ ମେସେଜିଂ ଆପ୍ଲିକେସନ ବନ୍ଦ ହୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଏପଟେ ପ୍ୟାରିସ କୋର୍ଟରେ ଦାଖଲ ଚାର୍ଜସିଟରେ ଟେଲିଗ୍ରାମ୍ ସିଇଓ ପାଭେଲ୍ ଡୁରୋଭଙ୍କ ବିରୋଧରେ ଚାର୍ଚ୍ଚସିଟ୍ ଦାଖଲ ହୋଇଛି । ଏଥିରେ କୁହାଯାଇଛି, ଟେଲିଗ୍ରାମ୍ ଆପ୍ ଜରିଆରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଏବଂ ଛୋଟ ପିଲାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ହେଉଛି । ଡ୍ରଗ୍ ଟ୍ରାଫିକିଂ ପାଇଁ ନିଶା ମାଫିଆଙ୍କ ହାତବାରିସି ସାଜିଛି ଏହି ଆପ୍ । ଖାଲି ଏତିକି ନୁହେଁ, ଅନ୍ୟ ବହୁ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାରେ ବିଫଳ ହୋଇଛି ଟେଲିଗ୍ରାମ୍ ଆପ୍ । ମନି ଲଣ୍ଡ୍ରିଂ ଓ ସାଇବର ଠକେଇ ବି ଟେଲିଗ୍ରାମ ଜରିଆରେ ହେଉଥିବା ଅଭିଯୋଗ ରହିଛି । ଅପରାଧୀ ମାନେ ବେଆଇନ ଟଙ୍କା କାରବାର ପାଇଁ ଏହାକୁ ଆପ୍ଲିକେସନକୁ ବ୍ୟବହାର କରୁଥିବା ଅଭିଯୋଗ ଚାର୍ଚ୍ଚସିଟରେ ଉଲ୍ଲେଖ ରହିଛି ।
ଏସବୁ ଘଟଣା ପରେ ଟେଲିଗ୍ରାମ୍ ଆପକୁ ନେଇ ଭୟଭୀତ ହୋଇଛନ୍ତି ୟୁଜର୍ସ । ଆପ୍ଲିକେସନ ଚଳାଇବା ପୂର୍ବରୁ ୟୁଜର୍ସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି । କେତେ ସୁରକ୍ଷିତ ଟେଲିଗ୍ରାମ୍ ଆପ୍ ? ଟେଲିଗ୍ରାମ୍ ଉପରେ ପ୍ରତିବନ୍ଧକ ଲାଗିବ କି ? ବେଆଇନ କାର୍ଯ୍ୟ ଉପରେ କାହିଁକି ରୋକ୍ ଲଗାଇପାରିଲାନି ଟେଲିଗ୍ରାମ୍? କାହଁକି ଏ ଦିଗରେ ପଦକ୍ଷେପ ନେଲେ ନାହିଁ ଟେଲିଗ୍ରାମ୍ ସିଇଓ ? ଜାଣିଶୁଣି ଏହାକୁ ଅଣଦେଖା କରାଯାଇନାହିଁ ତ ? ସେପଟେ ଟେଲିଗ୍ରାମ କର୍ତ୍ତୃପକ୍ଷ କହିଛନ୍ତି ସିଇଓ ପାଭେଲ ଡୁରୋଭ କିଛି ଲୁଚାଇ ନାହାନ୍ତି । ଏହି ଆପ୍ ୟୁରୋପୀୟ ଆଇନ ଅନୁସାରେ କାର୍ଯ୍ୟ କରୁଛି । ଆମେ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ ଅନୁସାରେ କାର୍ଯ୍ୟ କରୁଛୁ ଏବଂ ନିରନ୍ତର ଭାବେ ଏହାକୁ ଉନ୍ନତ କରାଯାଉଛି । ପ୍ଲାଟଫର୍ମର ଅପବ୍ୟବହାର ପାଇଁ ଏହି ଆପ୍କୁ କିମ୍ବା ଏହାର ମାଲିକଙ୍କୁ ଦାୟୀ କରିବା ଭୂଲ ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।
ସେହିଭଳି ଟେଲିଗ୍ରାମ ଆପ୍ ଉପରେ ଭାରତରେ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି । ଭାରତରେ ଏହାର ପ୍ରାୟ ୫୦ ଲକ୍ଷ ୟୁଜର୍ସ ରହିଛନ୍ତି । ଏଥିରେ ଅନେକ ସମୟରେ ଅନ-ୱାଣ୍ଟେଡ ମେସେଜ ଆସିବାର ଅଭିଯୋଗ ମଧ୍ୟ ରହିଛି । ଏହି ଆପ୍ ମାଧ୍ୟମରେ ଜୁଆ ଖେଳିବା ସହ ଲୋକଙ୍କୁ ଧମକେଇ ଟଙ୍କା ସଂଗ୍ରହ କରିବା ନେଇ ଅଭିଯୋଗ ରହିଛି । ପୂର୍ବରୁ ଟେଲିଗ୍ରା ବିରୋଧରେ ଅନେକ ମାମଲା ରୁଜୁ ହୋଇଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହା ଉପରେ ତଦନ୍ତ କରୁଛନ୍ତି ।