ଗୁଗଲ୍ ସହ ଚୁକ୍ତି ଶେଷ ହେବା ପରେ ମଧ୍ୟ ରେଳ ଷ୍ଟେସନରେ ମାଗଣାରେ ମିଳିବ ଓ୍ବାଇଫାଇ : ରେଳ ବିଭାଗ

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୨: ରେଳ ଷ୍ଟେସନରେ ମାଗଣା ଓ୍ବାଇ ଫାଇ ସେବା ବନ୍ଦ କରିବାକୁ ଯାଉଛି ଗୁଗଲ । ଗୁଗଲ କହିଛି ଯେ, ୨୦୨୦ ପର୍ଯ୍ୟନ୍ତ ବହୁ ଚର୍ଚ୍ଚିତ ପ୍ରୋଗ୍ରାମ ‘ଷ୍ଟେସନ’କୁ ବନ୍ଦ କରିବାକୁ ଯାଉଛି । ଏଥିରେ ଭାରତ ମଧ୍ୟ ସାମିଲ ରହିଛି । ମାତ୍ର ଭାରତରେ ପ୍ରାୟ ୫୬୦୦ ରେଳ ଷ୍ଟେସନରେ ରେଳ ଯାତ୍ରୀଙ୍କୁ ମାଗଣା ଓ୍ବାଇଫାଇ ମିଳିବ । ସରକାରୀ କମ୍ପାନୀ ରେଲଟେଲ ଏହି ଷ୍ଟେସନଗୁଡିକରେ ପୂର୍ବରୁ ଥିବା ମାଗଣା ଓ୍ବାଇଫାଇ ପ୍ରଦାନ କରିବ ।

ସୂଚନାଯୋଗ୍ୟ ଯେ, ଭାରତୀୟ ରେଲଓ୍ବେ ଏବଂ ରେଲ୍ ଟେଲ୍ ମିଳିତ ଭାବେ ୨୦୧୫ରେ ଷ୍ଟେସନ ନାମରେ ଏକ କାର୍ଯ୍ୟକ୍ରମ ଲଞ୍ଚ୍ କରିଥିଲେ । ୨୦୨୦ ମଧ୍ୟରେ ଦେଶର ୪୦୦ ରେଳ ଷ୍ଟେସନରେ ଦ୍ରୁତ ଏବଂ ମାମଗଣା ଓ୍ବାଇଫାଇ ସେବା ପ୍ରଦାନ କରିବା ଏହାର ଲକ୍ଷ୍ୟ ଥିଲା । ରେଲ୍ ଟେଲ୍ ଭାରତର ରେଳ ଷ୍ଟେସନରେ ମାଗଣା ଓ୍ବାଇ ଫାଇ ସୁବିଧା ପ୍ରଦାନ କରୁଛି । ଏହି ପ୍ରକ୍ରିୟାରେ ଗୁଗଲ ବୈଷୟିକ ସହଯୋଗୀ ରହିଥିଲା । ରେଲ୍ ଟେଲ୍ ଏହି ସୁବିଧା ଦେଶର ୪୧୫ ଏ-ଓ୍ବାନ୍, ଏ ଏବଂ ସି କ୍ୟାଟେଗୋରୀ ଷ୍ଟେସନରେ ଉପଲବ୍ଧ କରାଉଛି ।

ରେଲ୍ ଟେଲ୍ କହିଛି ଯେ, ଗୁଗଲ ସହ ଏହି ଚୁକ୍ତିରେ ଗୁଗଲ RAN ଏବଂ ବୈଷୟିକ ସହାୟତା ଦେଉଥିଲା ଯେଉଁଠିକି ରେଲ୍ ଟେଲ୍ ହାର୍ଡଓ୍ବେୟାର ସୁବିଧା ଏବଂ ଇଣ୍ଟରନେଟ୍ ବ୍ୟାଣ୍ଡଓ୍ବିଡଥ ସୁବିଧା ଯୋଗାଉଥିଲା । ଏବେ ଏହି ୪୧୫ ଷ୍ଟେସନ ବ୍ୟତୀତ ରେଲ୍ ଟେଲ୍ ୫୧୯୦ ବି, ସି ଏବଂ ଡି କ୍ୟାଟେଗୋରୀ ରେଳ ଷ୍ଟେସନରେ ମଧ୍ୟ ମାଗଣା ଓ୍ବାଇ ଫାଇ ସେବା ଯୋଗାଇବ ।

ଏବେ ରେଲ୍ ଟେଲ୍ ଦେଶବ୍ୟାପୀ ୫୬୦୦ରୁ ଅଧିକ ଷ୍ଟେସନରେ ମାଗଣା ଓ୍ବାଇଫାଇ ସେବା ପ୍ରଦାନ କରୁଛି । ରେଲ୍ ଟେଲ୍ କହିଛି ଯେ, ଏହି ଯାତ୍ରାରେ ଅନେକ ସହଯୋଗୀ ରହିଥିଲେ । ଗୁଗଲ ସହ ୫ବର୍ଷ ପର୍ଯ୍ୟନ୍ତ ହୋଇଥିବା ଚୁକ୍ତି ୨୦୨୦ରେ ଶେଷ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.