କେତେ ଦିନ ଯାଏଁ ମାଗଣା ରାସନ ଯୋଜନା ଚଲାଇବେ ସରକାର ? ପୂର୍ବ ବର୍ଷ ତୁଳନାରେ ଅଧା ଷ୍ଟକ ବି ନାହିଁ

Published By : Prameya-News7 Bureau | October 20, 2022 IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଜାରି ମାଗଣା ରାସନ ଯୋଜନା ଡିସେମ୍ୱର ପରେ ବି ଆଗକୁ ବଢିବ ନା ନାହିଁ ତାହା ଏବେ ଏକ ପ୍ରଶ୍ନ । ସରକାର ଚଳିତ ବର୍ଷ ଅକ୍ଟୋବରରେ ଏହି ଯୋଜନାକୁ ଆସନ୍ତା ତିନି ମାସ ଯାଏଁ ବଢାଇ ଡିସେମ୍ୱର ଯାଏ ବଢାଇଥିଲା । ତେବେ ଏହି ନିଷ୍ପତ୍ତି ପରେ ଏବେ ବ୍ୟବସାୟୀଙ୍କ କହିବା କଥା ଏହା କି ଯେ, ସରକାର ଏହି ଯୋଜନାକୁ ଅଧିକ ଦିନ ବଢାଇ ପାରିବେ ନାହିଁ, କାରଣ ଦେଶର ଖାଦ୍ୟ ଭଣ୍ଡାର ଉପରେ ଏବେ ଚାପ ପଡିବାରେ ଲାଗିଛି ଏବଂ ଜମା ଖାଦ୍ୟ ସାମଗ୍ରୀ କମିବାରେ ଲାଗିଛି । ସରକାରଙ୍କ ନିକଟରେ ଗହମର ଷ୍ଟକ ଅକ୍ଟୋବର ୧ ସୁଦ୍ଧା ୨୨.୭ ମିଲିୟନ ଟନ ରହିଛି । ଗୋଟିଏ ବର୍ଷ ପୂର୍ବେ ଏହି ଅବଧିରେ ଭାରତ ପାଖରେ ମୋଟ ୪୬.୯ ମିଲିୟନ ଟନ ଷ୍ଟକ ଥିଲା।

ତେବେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରହିଛି । ସୀମିତ ଯୋଗାଣ ଗହମର ମୂଲ୍ୟକୁ ଅଧିକ କରାଇଛି । ୟୁକ୍ରେନ ଯୁଦ୍ଧ ଯୋଗୁଁ ବାହାରୁ ଗହମ ଆଣିବା ସରକାରଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବ । ଏପରିସ୍ଥିତିରେ ସରକାରଙ୍କ ନିକଟରେ କେବଳ ଗୋଟିଏ ରାସ୍ତା ରହିଛି ଯେ, ସେ ମାଗଣା ରାସନ ଯୋଜନାକୁ ଡିସେମ୍ୱର ପରେ ବନ୍ଦ କରିବେ।

ମାଗଣା ରାସନ ଯୋଜନା ସେପ୍ଟେମ୍ୱର ୩୦ରେ ଶେଷ ହୋଇଥାନ୍ତା । ଏହା ପୂର୍ବରୁ ସରକାର ଏହି ଯୋଜନାକୁ ଆଉ ତିନି ମାସ ବଢାଇଥିଲେ । ଅର୍ଥ ମନ୍ତ୍ରାଳୟ ଅନୁସାରେ ତିନି ମାସରେ ମାଗଣ ରାସନ ପାଇଁ ସରକାରଙ୍କ ଉପରେ ୪୫,୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.