ଭୁବନେଶ୍ବର ୩୦|୧୦: ନିର୍ବାଚନ ସମୟରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ କୌଣସି ଦଳ କିମ୍ବା ନେତାଙ୍କ ଦ୍ବାରା ପ୍ରଭାବିତ ନହୋଇ ବରଂ ସାଧାରଣ ଲୋକଙ୍କୁ ଭୋଟଦାନ ସମ୍ପର୍କରେ ତଥା ସଠିକ୍ ପ୍ରାର୍ଥୀଙ୍କୁ ଚୟନ ପାଇଁ ସଚେତନ କରାଇବାରେ ଗଣମାଧ୍ୟମର ଅଗ୍ରଣୀ ଭୂମିକା ଗ୍ରହଣ କରିବା ଦରକାର । ଆଜି ଭୁବନେଶ୍ବରରେ ଓଡ଼ିଶା ଇଲେକ୍ସନ ଓ୍ବାଚ୍ ପକ୍ଷରୁ ଆୟୋଜିତ ଫ୍ରିଫେୟାର ଇଲେକ୍ସନ ଏବଂ ଫୋରଥ ଇଷ୍ଟେଟ୍ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ରାଜ୍ୟର ଅନେକ ବରିଷ୍ଠ ସାମ୍ବାଦିକ ସେମାନଙ୍କ ମତ ରଖିଥିଲେ ।….
ବଦଳିଛି ସମୟ । ସମୟ ସହ ତାଳଦେଇ ବଦଳିଛି ନିର୍ବାଚନର ଢ଼ାଞ୍ଚା । ୟା’ ଭିତରେ ଗଣମାଧ୍ୟମର ସ୍ବାଧୀନତାକୁ ନେଇ ବି ଉଠିଛି ପ୍ରଶ୍ନ । କିଛି ଶକ୍ତିଶାଳୀ ଗୋଷ୍ଠୀ, ଦଳ କିମ୍ବା ନେତା ଗଣମାଧ୍ୟକୁ ନିଜ ଇଚ୍ଛା ମୁତାବକ ବ୍ୟବହାର କରୁଛନ୍ତି । ଯେଉଁଠି ଗଣମାଧ୍ୟମ ସାଧାରଣ ଲୋକଙ୍କ ସ୍ବର ହୋଇ କାମ କରିବା କଥା ସେଠି କିଛି ମୁଷ୍ଟିମେୟଙ୍କ ହାତବାରିଶି ହୋଇଛି । ଏସବୁ କଥା ନଜରରେ ରଖି ଆଗାମୀ ନିର୍ବାଚନରେ ଗଣମାଧ୍ୟମର ଭୂମିକା କ’ଣ ହେବା ଦରକାର ସେ ସମ୍ପର୍କରେ ଆଲୋଚନା ପାଇଁ ଓଡ଼ିଶା ଇଲେକ୍ସନ ଓ୍ବାଚ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏକ ଆଲୋଚନା ଚକ୍ର । ଯେଉଁଥିରେ ରାଜ୍ୟର ଅନେକ ବଛା ବଛା ସାମ୍ବାଦିକ ଯୋଗ ଦେଇ ନିଜର ମତାମତ ରଖିଛନ୍ତି ।
ଫ୍ରି ଆଣ୍ଡ ଫେୟାର ଇଲେକ୍ସସନ । ଆଉ ଫୋର୍ଥ ଇଷ୍ଟେଟ୍ । ଏହି ଆଲୋଚନାରେ ମୁଖ୍ୟତଃ ଏ ଦୁଇଟି ପ୍ରସଙ୍ଗ ଉପରେ ଗୁରୁତ୍ବ ଦିଆଯାଇଥିଲା । ନିର୍ବାଚନ ସମୟରେ ପେଡ୍ ନ୍ୟୁଜ୍ ପଛରେ ନପଡ଼ି ବରଂ ମୁକ୍ତ ସାମ୍ବାଦିକତା ପାଇଁ ସମସ୍ତେ ଆଗଭର ହେବା ଦରକାର । ଦେଶ ତଥା ରାଜ୍ୟକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବା ସହ ଫ୍ରି ଫେୟାର ଇଲେକ୍ସନ ଦିଗରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
କୌଣସି ଖବରକୁ ଅତି ରଞ୍ଜିତ ନକରି ସାଧାରଣ ଲୋକଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚାଇବା ଦିଗରେ ଗଣମାଧ୍ୟମ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।