ସିରମ ଇନିଷ୍ଟିଚ୍ୟୁଟ୍ରୁ ୧ କୋଟି ଟଙ୍କା ଠକେଇ , ଅଦାର ପୁନାୱାଲାଙ୍କ ନାମରେ ଠକ ପଠାଇଥିଲେ ମ୍ୟାସେଜ୍
11/09/2022 at 5:22 PM

ପୁଣେ ୧୧।୯: ମହାରାଷ୍ଟ୍ର ପୁଣେରେ ଠକେଇର ଏକ ବଡ଼ ମାମଲା ସାମ୍ନାକୁ ଆସିଛି। ଠକମାନେ ଭାରତରେ କରୋନା ଟିକା ନିର୍ମାତା ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)ରୁ ୧ କୋଟି ଟଙ୍କା ଠକେଇ କରିନେଇଛନ୍ତି। ତେବେ ସବୁଠରୁ ଯାହା ବଡ଼ କଥା ତାହା ହେଉଛି ଠକମାନେ ଏସଆଇଆଇଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଅଦାର ପୁନାୱାଲାଙ୍କ ନାମରେ ଏକ ମ୍ୟାସେଜ ପଠାଇ ୧ କୋଟି ଟଙ୍କା ଅନଲାଇନ ଟ୍ରାନ୍ସଫର କରାଇନେଇଛନ୍ତି।

ପୋଲିସ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଠକ ଏସଆଇଆଇଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ ନାମରେ ମ୍ୟାସେଜ ପଠାଇ ୧ କୋଟି ଟଙ୍କା ଟ୍ରାନ୍ସଫର କରିବାକୁ କହି ଅଧିକ ଟଙ୍କା ଠକେଇ କରିଛନ୍ତି। ବୁଣ୍ଡଗାର୍ଡନ ପୋଲିସ ଥାନା ଅନୁସାରେ ଏହି ଠକେଇ ବୁଧବାର ଓ ଗୁରୁବାର ମଧ୍ୟାହ୍ନରେ ହୋଇଛି। ଇନିସପେକ୍ଟର ପ୍ରତାପ ମାନକର ସୂଚନା ପ୍ରଯୁକ୍ତି ଅଧିନିୟମରେ ଠକେଇ ଓ ଅପରାଧ ଲାଗି ଅଜ୍ଞାତ ଲୋକଙ୍କ ନାମରେ ଏତଲା ରୁଜୁ ହୋଇଥିବା କହିଛନ୍ତି।

ପୋଲିସରେ ରୁଜୁ ଏତଲା ଅନୁସାରେ ଏସଆଇଆଇ ନିର୍ଦ୍ଦେଶକଙ୍କ ମଧ୍ୟରୁ ସତୀଶ ଦେଶପାଣ୍ଡେଙ୍କ ହ୍ୱାଟସ୍ ଆପ୍ରେ ଏକ ମ୍ୟାସେଜ୍ ଆସିଥିଲା, ଯେଉଁଥିରେ ମ୍ୟାସେଜ ପଠାଇଥିବା ବ୍ୟକ୍ତି ନିଜକୁ ଅଦାର ପୁନାୱାଲା ବୋଲି ଦାବି କରୁଥିଲେ। ଅଭିଯୋଗ ଅନୁସାରେ ବାର୍ତ୍ତା ପ୍ରେରଣକାରୀ କିଛି ଆକାଉଣ୍ଟରେ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ। ଏହାକୁ କମ୍ପାନୀ ସିଇଓଙ୍କ ବାର୍ତ୍ତା ମନେ କରି କର୍ମଚାରୀମାନେ ବିଭିନ୍ନ ଆକାଉଣ୍ଟ ନମ୍ବରରେ ୧,୦୧,୦୧,୫୫୪ ଟଙ୍କା ଅନଲାଇନ ଟ୍ରାନ୍ସଫର କରିଦେଇଥିଲେ। ତେବେ କର୍ମଚାରୀ ଟଙ୍କା ଟ୍ରାନ୍ସଫର କରିବା ପରେ ଅଦାର ପୁନାୱାଲା ଏପରି କୌଣସି ହ୍ୱାଟସ୍ ଆପ୍ ମ୍ୟାସେଜ୍ ପଠାଇ ନଥିବା ଜଣାପଡିଥିଲା। ଇନିସପେକ୍ଟର ମାନକର ମାମଲାର ତଦନ୍ତ ଜାରି ଥିବା କହିଛନ୍ତି।