ଉତ୍ତରପ୍ରଦେଶ ୨୬/୯:କମ୍ ବୟସ୍କ ଦେଖାଯିବାକୁ କାହାର ବା ଇଚ୍ଛା ନଥାଏ । ସମସ୍ତେ ଏଥିପାଇଁ କିଛି ନା କିଛି କରିଥାନ୍ତି । କିଏ ଘରୋଇ ଉପଚାର କରନ୍ତି ତ ଆଉ କିଏ ସର୍ଜରୀ,ଟ୍ରିଟମେଣ୍ଟ ପନ୍ଥା ଆପଣାଇଥାନ୍ତି ।ଏଥିପାଇଁ ପାଣି ପରି ଟଙ୍କା ବୁହାଇ ଦିଅନ୍ତି । ଆଉ ଏସବୁର ଫାଇଦା ଉଠାନ୍ତି କିଛି ଠକ ।ଲୋଭନୀୟ ଅଫର ଦେଇ ଲୁଟନ୍ତି କୋଟି କୋଟି ଟଙ୍କା । ଉତ୍ତରପ୍ରଦେଶ କାନପୁରରୁ ଏମିତି ଜଣେ ଠକ ଦଂପତ୍ତିଙ୍କ କଳା କାର୍ନାମାର ପର୍ଦ୍ଦାଫାଶ ହୋଇଛି । ପୋଲିସକୁ ଚକ୍ମା ଦେଇ ଏବେ ଫେରାର ସ୍ବାମୀ-ସ୍ତ୍ରୀ ।
ଅକ୍ସିଜେନ ଥେରାପିରେ ଆପଣ ଦେଖାଯିବେ ୟଙ୍ଗ । ବୟସ ୬୦ରୁ ସିଧା ଖସିଯିବ ୨୫ । ଇସ୍ରାଏଲରୁ ଆସିଛି ଦାମୀ ମେସିନ । ଏମିତି ଲୋଭ ଦେଖାଇ ଲୋକଙ୍କ ବିଶ୍ବାସ ଜିତୁଥିଲେ।ବୟସ କମିଯିବା ଲାଳସାରେ ଅନେକ ପଡିଯାଇଥିଲେ ଠକ ଦଂପତ୍ତିଙ୍କ ପାଲରେ । ହେଲେ ଖୁବ କମ୍ ଦିନରେ ସେମାନଙ୍କ ଅସଲ ଚେହେରା ପଦାରେ ପଡିଛି । ଲୋକଙ୍କ ବିଶ୍ବାସ ସହ ଖେଳୁଥିବା ଠକ ଦଂପତ୍ତି ହେଉଛନ୍ତି କାନପୁର କିଶୋର ନଗରର ରାଜୀବ ଦୁବେ ଓ ରଶ୍ମି ଦୁବେ ।ଇସ୍ରାଏଲରୁ ଏକ ବୟସ କମାଇବା ମେସିନ କିଣିଥିବା ସେମାନେ ଦାବି କରିଥିଲେ । ଏହି ମେସିନରେ ଅକ୍ସିଜେନ ଥେରାପି ଦ୍ବାରା ଜଣେ ୬୦ ବର୍ଷରୁ ସିଧା ୨୫ ବର୍ଷ ହୋଇଯିବ ।ୟଙ୍ଗ ଦେଖାଯିବା ଚକ୍କରରେ ଲୋକମାନେ ପାଗଳ ପରି ଭିଡ ଲଗାଉଥିଲେ ।ହେଲେ ସ୍ବାମୀ-ସ୍ତ୍ରୀ କାହାକୁ ମେସିନ ଦେଖାଉନଥିଲେ କି ମେସିନର ନାଁ କହୁନଥିଲେ।
ଅକ୍ସିଜେନ ଥେରାପି ପାଇଁ ସେ ଜଣଙ୍କ ଠାରୁ ୬ ହଜାରରୁ ଆରମ୍ଭ କରି ୯୦ ହଜାର ଯାଏ ନେଉଥିଲେ । ହେଲେ କାହାର ବୟସ ୬୦ରୁ ୨୫ ହେବା ଦୂର କଥା ୫୯ ବି ହେଉନଥିଲା । ଧିରେ ଧିରେ ଲୋକଙ୍କ ସନ୍ଦେହ ବଢିଲା ।ଏକଥାର ଟେର୍ ପାଇଯାଇଥିଲେ ରାଜୀବ ଓ ରଶ୍ମି । ଆଉ ସୁଯୋଗ ଦେଖି ଖସିଗଲେ । ଲୋକେ ଦେଖିଲା ବେଳକୁ ଫ୍ଲାଟରେ ତାଲା ଝୁଲୁଛି । ଆଉ ଚମ୍ପଟ ମାରିଛନ୍ତି ରାଜୀବ ଓ ରଶ୍ମି ।ଠକାମିର ଶିକାର ହୋଇଥିବା ଲୋକେ ଏକାଠି ହୋଇ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।ପ୍ରାୟ ୩୫ କୋଟିରୁ ଅଧିକ ଠକେଇ ହୋଇଥିବା ଅଭିଯୋଗ ହୋଇଛି ଏତଲା ଆଧାରରେ ଠକ ଦଂପତ୍ତିଙ୍କୁ ଖୋଜୁଛି ପୋଲିସ । ଏ ଘଟଣା ପ୍ରଥମ ନୁହେଁ ଭରସା ଜିତି ଚୁନା ଲଗାଉଛନ୍ତି ରାଜୀବ ଓ ରଶ୍ମିଙ୍କ ପରି ଅନେକ ଠକ । ଦିନକୁ ଦିନ ବଢିଚାଲିଛି ଏମିତି ଠକେଇ ।ସେଥିପାଇଁ ଆପଣ ମଧ୍ୟ ଟିକେ ସତର୍କ ରୁହନ୍ତୁ । ନଚେତ ଆପଣ ବି ଏମିତି ଠକ ହାବୁଡରେ ପଡି ସର୍ବସ୍ବ ହରାଇ ପାରନ୍ତି ।