ପାରା ଅଲିମ୍ପିକ୍ସ ପଦକ ବିଜେତା ସିଂହରାଜ ଅଧାନାଙ୍କ ସମେତ ୬ ଜଣଙ୍କୁ ଭିସା ଦେଲାନି ଫ୍ରାନ୍ସ, ସୁଟିଂ ବିଶ୍ୱ କପରୁ ବଂଚିତ

Published By : Prameya-News7 Bureau | June 04, 2022 IST

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସିଂହରାଜ ଅଧାନାଙ୍କ ସମେତ ଭାରତୀୟ ପାରା ସୁଟର ଦଳର ଛଅ ସଦସ୍ୟଙ୍କୁ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ମଧ୍ୟ ଭିସା ମିଳିନାହିଁ । ଫଳରେ ଏହି ସବୁ ଖେଳାଳି ଫ୍ରାନ୍ସରେ ଆୟୋଜିତ ପାରା ସୁଟିଂ ବିଶ୍ୱ କପ ଖେଳିବାରୁ ବଂଚିତ ହୋଇଛନ୍ତି । ଟୋକିଓ ପାରା ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅବନି ଲେଖରା ଟୁଇଟ୍ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି । ଭିସା ନମିଳିବାରୁ ସେ ନିଜ ମାଆ ଶ୍ୱେତା ଜେୱରିଆ ଏବଂ କୋଚ୍ ରାକେଶ ମନପତଙ୍କ ସହଯୋଗ ଲୋଡିଥିଲେ । ଲେଖରା ଏବଂ ତାଙ୍କ କୋଚକୁ ଭିସା ମିଳିଯାଇଥିବା ଜାତୀୟ କୋଚ୍ ଏବଂ ଭାରତୀୟ ପାରା ସୁଟର ଚେୟାରମ୍ୟାନ ଜୟ ପ୍ରକାଶ ନୌଟିଆଲ କହିଛନ୍ତି ।

ସେ କହିଛନ୍ତି, ଅବନିଙ୍କ ମାଆଙ୍କୁ ଭିସା ମିଳି ପାରି ନାହିଁ । ଏହା ବାଦ୍ ପାରା ସୁଟର ସିଂହରାଜ, ରାହୁଲ ଝାଖଡ ଏବଂ ଦୀପିନ୍ଦର ସିଂହ(ସମସ୍ତେ ପାରା ପିସ୍ତଲ ସୁଟର) ଏବଂ ଦୁଇ କୋଚ୍ ସୁଭାଷ ରାଣା(ରାଷ୍ଟ୍ରୀୟ କୋଚ୍‌) ଏବଂ ବିବେକ ସୈନୀ(ସହାୟକ କୋଚ୍‌)ଙ୍କୁ ମଧ୍ୟ ଭିସା ମିଳିନାହିଁ । ସେ କହିଛନ୍ତି, ଖେଳାଳିଙ୍କୁ କାହିଁକି ଭିସା ମିଳିନାହିଁ ସେ ସଂପର୍କରେ ଫ୍ରାନ୍ସ ଦୂତାବାସ କୌଣସି କାରଣ ଜଣାଇ ନାହିଁ । କେବଳ ଏତିକି କୁହାଯାଇଛି ଯେ ଭିସାର ବହୁତ ଚାହିଦା ରହିଛି । ଆମେ ଏପ୍ରିଲ ୨୩ରେ ଭିସା ପାଇଁ ଆବେଦନ କରିଥିଲୁ । ଭାରତୀୟ ପାରା ସୁଟର ଚେୟାରମ୍ୟାନ ଜୟ ପ୍ରକାଶ ନୌଟିଆଲ କହିଛନ୍ତି ଆମେ ଏପ୍ରିଲ ୨୩ରେ ଭିସା ପାଇଁ ଆବେଦନ କରିଥିଲୁ । ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏଥିରେ ହସ୍ତକ୍ଷେପ କରି ସାହାଯ୍ୟ କରିବାକୁ ଉଦ୍ୟମ କରିଛନ୍ତି, ତଥାପି ଛଅ ଜଣ ସଦସ୍ୟଙ୍କୁ ଭିସା ମିଳିପାରି ନାହିଁ ।

ଟୁର୍ଣ୍ଣାମେଂଟ ଜୁନ ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏଥିରେ ପ୍ୟାରିସ ପାରା ଅଲିମ୍ପିକ୍ସ ପାଇଁ ଟିକେଟ୍ ମିଳିବ । ଏବେ ୨୨ ସଦସ୍ୟଙ୍କ ସହ ଫ୍ରାନ୍ସ ଯାତ୍ରା କରୁଥିବା କହିଛନ୍ତି ନୌଟିଆଲ । ଆମେ ଆଶା କରିଥିଲୁ ଯେ, ସଭିଙ୍କୁ ଭିସା ମିଳିବ । ହେଲେ ଦୁଭାର୍ଗ୍ୟପୂର୍ଣ୍ଣ ଖେଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟର ପ୍ରୟାସ ସତ୍ୱେ ସଫଳତା ମିଳିନଥିବା ନୌଟିଆଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.