ସେପ୍ଟେମ୍ବରରେ ଭାରତୀୟ ସେୟାର ବଜାରରୁ ₹୧୪୭୬୭ କୋଟି ଟଙ୍କା କାଢି ନେଇଛନ୍ତି FPI, ଜାଣନ୍ତୁ କେଉଁକାରଣରୁ ହ୍ରାସ ହେଲା ଆଗ୍ରହ
1/10/2023 at 4:02 PM

ମୁମ୍ବାଇ ୧।୧୦: ବିଦେଶୀ ପୋର୍ଟଫୋଲିଓ ଇନଭେଷ୍ଟର (ଏଫପିଆଇ) ଶେଷ ହୋଇଥିବା ସେପ୍ଚେମ୍ବର ମାସରେ ଭାରତୀୟ ସେୟାର ବଜାରରୁ ୧୪ ହଜାର ୭୬୭ କୋଟି ଟଙ୍କାର ନିବେଶ କାଢି ନେଇଛନ୍ତି। ଏଥି ପାଇଁ ଯାହା କାରଣ କୁହାଯାଉଛି ତାହା ହେଉଛି ଟଙ୍କା ତୁଳନାରେ ଡଲାରର ମଜଭୁତି, ଆମେରିକାରେ ବଣ୍ଡ ଉପରେ ୟିଲ୍ଡ ବଢିବା ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବା। ଏହା ଛଡା ଏଫପିଆଇର ଏପରି ଆଉଟ୍ ଫ୍ଲୋ ପଛରେ ଆଉ ଯେଉଁ ମୁଖ୍ୟ କାରଣଟି ରହିଛି ତାହା ହେଉଛି ବୈଶ୍ୱିକ ଆର୍ଥିକ ଅଭିବୃଦ୍ଧିକୁ ନେଇ ବଢୁଥିବା ଚିନ୍ତା।
ବର୍ତ୍ତମାନ ସମୟରେ ବିଦେଶୀ ନିବେଶକ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଣୁ ଡିପୋଜିଟରିଜ ତଥ୍ୟ ଅନୁସାରେ ବିଦେଶୀ ପୋର୍ଟଫୋଲିଓ ଇନଭେଷ୍ଟର ସେପ୍ଟେମ୍ବରରେ ନିଟ୍ ୧୪,୭୬୭ କୋଟି ଟଙ୍କାର ସେୟାର ବିକି ଦେଇଛନ୍ତି। ଏହା ପୂର୍ବରୁ ଅଗଷ୍ଟ ମାସରେ ସେୟାରରେ ଏଫପିଆଇ ନିବେଶ ୪ ମାସର ସର୍ବନିମ୍ନ ସ୍ତର୧୨,୨୬୨ କୋଟିକୁ ଖସି ଆସିଥିଲା। ଏଫପିଆଇ ଗତ ମାର୍ଚ୍ଚ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେୟାର ବଜାରରେ ନିବେଶ କରିଥିଲେ। ଏହି ସମୟରେ ସେମାନେ ୧.୭୪ ଲକ୍ଷ କୋଟି ଟଙ୍କାର ସେୟାର କ୍ରୟ କରିଥିଲେ।

ତେବେ ଆଗକୁ ଭାରତୀୟ ସେୟାର ବଜାର ପ୍ରତି ଏଫପିଆଇଙ୍କ ମନବୃତ୍ତି କିପରି ରହିବ ତାହା ଭାରତୀୟ ଅର୍ଥ ବ୍ୟବସ୍ଥାର ପରଫର୍ମାନ୍ସ, ଭାରତୀୟ ରିଜର୍ଭ ବ୍ୟଙ୍କଙ୍କ ଆଗାମୀ ମନିଟାରୀ ପଲିସି ମିଟିଂ ଫଳାଫଳ ଓ କମ୍ପାନୀମାନଙ୍କର ଆର୍ଥିକବର୍ଷ ୨୦୨୩-୨୪ର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପରିଣାମ ଉପରେ ନିର୍ଭର କରିବ। ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସରେ ଏଫପିଆଇ ଋଣ ଅର୍ଥାତ ବଣ୍ଡ ବଜାରରେ ୯୩୮ କୋଟି ଟଙ୍କା ପକାଇଛନ୍ତି। ସେହିଭଳି ଜାରି କ୍ୟାଲେଣ୍ଡର ବର୍ଷରେ ସେୟାରରେ ଏପର୍ଯ୍ୟନ୍ତ ଏଫପିଆଇ ନିବେଶ ୧.୨ ଲକ୍ଷ କୋଟି ଟଙ୍କା ରହିଛି।
ସେହିପରି ବଣ୍ଡବଜାରରେ ଏଫପିଆଇ ୨୯ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି। ଏଥିରେ ସେକ୍ଟର କଥା କହିଲେ ବିଦେଶୀ ନିବେଶକ କ୍ୟାପିଟାଲ ଗୁଡସ୍ ଓ ବଛା ବଛା ଫାଇନନସିଆଲର କ୍ରେତା ଅଛନ୍ତି। ଗତ ସପ୍ତାହରେ ବିଏସଇଙ୍କ ୩୦ ସେୟାରର ସେନସେକ୍ସ ୧୮୦.୭୪ ପଏଣ୍ଟ ଅର୍ଥାତ୦.୨୭ ପ୍ରତିଶତ ଭାଙ୍ଗିଥିଲା। ଏଥିରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୩୫.୯୫ ପଏଣ୍ଟ ଅର୍ଥାତ ୦.୧୮ ପ୍ରତିଶତ ତଳକୁ ଖସିଥିଲା।