ଟିଭି ଅଭିନେତ୍ରୀଙ୍କ ହତ୍ୟାର ପ୍ରତିଶୋଧ, ୨୪ଘଣ୍ଟାରେ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲେ ସୁରକ୍ଷାକର୍ମୀ

Published By : Prameya-News7 Bureau | May 27, 2022 IST

ଶ୍ରୀନଗର ୨୭।୫: ଟିଭି ଅଭିନେତା ଅମରିନ୍ ଭଟ୍ଟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ସମେତ ୪ଜଣଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଛି । ଅବନ୍ତିପୋରା ଏବଂ ଶ୍ରୀନଗରରେ ଦୁଇ ଆତଙ୍କବାଦୀଙ୍କୁ ନିହତ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେହି ଆତଙ୍କବାଦୀମାନଙ୍କୁ ଲୁଚାଇ ରଖିଥିବା ବ୍ୟକ୍ତିଙ୍କୁ ଜାମ୍ମୁକାଶ୍ମୀର ପୋଲିସ ଏବେ ଖୋଜୁଛି ।

କାଶ୍ମୀର ଜୋନ୍ ଆଇଜି ବିଜୟ କୁମାର କହିଛନ୍ତି ଯେ, ସୂଚନାଦାତାଠାରୁ ସୂଚନା ମିଳିବା ପରେ ଅବନ୍ତିପୋରା ଅଗନହାଞ୍ଜିପୋରାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଘରେ ଘରେ ଛାନଭିନ୍ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷାକର୍ମୀ ପାଲଟା ଗୁଳିଚାଳନା କରିଥିଲେ । କିଛି ସମୟ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦୀଙ୍କ ପରିଚୟ ମିଳିଛି । ଦୁଇ ଆତଙ୍କବାଦୀ ଗଡଗାମ୍ ନିବାସୀ ଶାଦି ମୁସ୍ତାକ ଭଟ୍ଟ ଏବଂ ପୁଲଓ୍ବାମା ନିବାସୀ ଫରହାନ ହବିବ । ଉଭୟ ଆତଙ୍କବାଦୀ ନିକଟରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାରେ ସାମିଲ ହୋଇଥିଲେ । ସେମାନେ ହିଁ ଲସ୍କର କମାଣ୍ଡର ଲତିଫର କହିବା ଅନୁସାରେ ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କୁ ବୁଧବାର ଦିନ ଗୁଳିମାରି ହତ୍ୟା କରିଥିଲେ । ଉଭୟଙ୍କୁ ନିକଟରୁ ଗୋଟିଏ ଏକେ-୫୬ ରାଇଫଲ, ଗୋଟିଏ ପିସ୍ତଲ ଏବଂ ୪ଟି ମ୍ୟାଗାଜିନ୍ ମିଳିଛି । ସେହିଭଳି ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ବେଳେ ଲସ୍କର-ଏ-ତୋଇବାର ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.