ଢେଙ୍କାନାଳରେ ୪ କଲେଜ ଛାତ୍ର କୋଭିଡ୍ ପଜିଟିଭ୍, ଟେଷ୍ଟ ପାଇଁ ପଠାଗଲା ୨୬୦ପିଲାଙ୍କ ସାମ୍ପଲ୍

Published By : Prameya-News7 Bureau | November 30, 2021 IST

ଢେଙ୍କାନାଳ ୩୦।୧୧: କୋଭିଡର ନୂଆ ଭରିଆଣ୍ଟ ଓମିକ୍ରନକୁ ନେଇ ସମସ୍ତଙ୍କ ମୁଣ୍ଡବ୍ୟଥା ବଢିଯାଇଛି । ଏପରି ସ୍ଥଳେ ଗତ କିଛି ଦିନ ହେଲା ତଳମୁହାଁ ଥିବା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲାଣି । ଏପରିକି ସ୍କୁଲ କଲେଜ ଅଫଲାଇନ କ୍ଲାସ ଆରମ୍ଭ ହୋଇ ସାରିଥିବା ବେଳେ ଭୀମସାର କଲେଜ ପରେ ପରେ ଏପଟେ ଢେଙ୍କାନାଳରେ ୪ ଜଣ କଲେଜ ପିଲା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଂଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟ ନାମକ ଏକ ଘରୋଇ କଲେଜ ହଷ୍ଟେଲର ୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଢେଙ୍କାନାଳରେ ସଂକ୍ରମଣ ଆଶଙ୍କା ବଢିଯାଇଛି । ଫଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସାଇକୃପା ଆବାସିକ କଲେଜର ଥିବା ୨୬୦ ଜଣ ପିଲାଙ୍କର କୋଭିଡ ଆରଟିପିସିଆର ଟେଷ୍ଟ ପାଇଁ ସାମ୍ପଲ ନିଆଯାଇ ପଠାଯାଇଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି ।

ଏପଟେ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ନେଇ ସଂକ୍ରମଣ ଆଶଙ୍କା କରି ନିଜ ଘରକୁ ନେଇ ଯାଇଥିବା ଜଣାପଡିଛି । ଫଳରେ ଏହି କଲେଜ ଖାଲି ହୋଇଯାଇଥିଲେ ମଧ୍ୟ ଆସିବାକୁ ଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଉପରେ ସମସ୍ତଙ୍କର ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.