ମହାନଦୀରେ ଭାସି ନିଖୋଜ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର, ସ୍କୁଲ ସାରି ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ

Published By : Prameya-News7 Bureau | November 26, 2021 IST

କଟକ ୨୬।୧୧: ମହାନଦୀରେ ଭାସି ନିଖୋଜ ହୋଇଥିବା ୪ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁବାର ଜଗା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶୁକ୍ରବାର ସକାଳୁ ଆକାଶ ବାହାଲିଆ ଓ ଚନ୍ଦନ ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମବାହିନୀ । ନିଖୋଜ ଥିବା ଅନ୍ୟ ଜଣେ ଛାତ୍ର ଶୁଭମ ସେଠୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, କଟକ ଚାଉଳିଆଗଞ୍ଜ ଥାନା ଭଦିମୂଳ ନିକଟ ମହାନଦୀରେ ଗୁରୁବାର ଦିନ ୪ ଛାତ୍ର ବୁଡିଯାଇ ନିଖୋଜ ହୋଇଯାଇଥିଲେ । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା । ଶୁକ୍ରବାର ଆଉ ତିନି ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ମୃତ ଛାତ୍ର କଟକ ପୋତାପୋଖରୀ ଅଞ୍ଚଳର ବୋଲି ଜଣାପଡିଛି ।

ସ୍କୁଲ ଛୁଟି ହେବା ପରେ ଏମାନେ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ସନ୍ଧ୍ୟାରେ ଛାତ୍ରମାନଙ୍କ ସାଇକେଲ ଭଦିମୂଳ ନିକଟରେ ଥିବା ଦେଖିବାକୁ ମିଳିଥିଲା । ସେମାନେ ପାଣିରେ ଭାସି ଯାଇଥିବା ସନ୍ଦେହ କରି ଚାଉଳିଆଗଞ୍ଜ ଥାନାରେ ଖବର ଦେଇଥିଲେ ପରିବାର ଲୋକେ। ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ। ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଲେ ରାତି ଅଧିକ ହେବାରୁ ରେସକ୍ୟୁ ଅପରେସନ ଅଧାରୁ ବନ୍ଦ ରଖାଯାଇଥିଲା । ଶୁକ୍ରବାର ପୁଣି ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ଆଉ ନିଖୋଜ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.