୪ ଝିଅଙ୍କ ତଣ୍ଟିକାଟି ମାରିବା ପରେ ନିଜ ତଣ୍ଟି କାଟୁଥିଲା ମା’, ଭୋର ୩ଟାର ଗୁମର ଖୋଜୁଛି ପୋଲିସ୍‌

Published By : Prameya-News7 Bureau | November 28, 2020 IST

ଗୁରୁଗ୍ରାମ ୨୮/୧୧: ମମତା ଭୁଲିଗଲା ମା’। ରକ୍ତମୁଖା ସାଜି ନିଜ ପିଲାଙ୍କୁ କଲା ନିର୍ମମ ହତ୍ୟା । ୪ ଝିଅଙ୍କୁ ମାରିବା ପରେ ନିଜ ଗଳାକୁ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ହତ୍ୟାକାରୀ ମା’। ଏଭଳି ଏକ ଛାତିଥରା ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଗୁରୁଗ୍ରାମର ନୁହ ପିପ୍‌ରୋଲି ଗାଁରେ ଘଟିଛି।

ପିପ୍‌ରୋଲି ଗାଁର ଫରମିନା। ପ୍ରଥମ ସ୍ବାମୀଙ୍କୁ ଛାଡ଼ିବା ପରେ ୨୦୧୨ରେ ଖୁର୍ସିଦ ଅହମଦଙ୍କୁ କରିଥିଲେ ଦ୍ବିତୀୟ ବିବାହ। ଖୁର୍ସିଦ ଓ ଫରମିନାଙ୍କ ୪ଟି ଝିଅ ଥିଲେ। ସେମାନଙ୍କ ମଧ୍ୟରୁ ସାନ ଝିଅର ବୟସ ମାତ୍ର ୮ ମାସ। ୪ ଝିଅ ଓ ସ୍ବାମୀ-ସ୍ତ୍ରୀଙ୍କ ସଂସାର। ସବୁ କିଛି ଠିକ୍‌ ଠାକ ଚାଲିଥିଲା ବୋଲି ପଡ଼ୋଶୀ କହିଛନ୍ତି। କିନ୍ତୁ ଶୁକ୍ରବାର ଏମିତି କଣ ହେଲା ଯେ ସବୁ କିଛି ବଦଳିଗଲା ?

ଗାଁ ପାଖରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ମୃତ୍ୟୁବରଣ କରିଥିଲେ। ଏଭଳି ଖବର ମିଳିବା ପରେ ପିପ୍‌ରୋଲି ଗାଁ ଲୋକଙ୍କ ସହିତ ଖୁର୍ସିଦ ବି ସେମାନଙ୍କୁ ଦେଖିବାକୁ ଯାଇଥିଲେ । କିନ୍ତୁ ଘରେ ନିଜ ଝିଅମାନଙ୍କ ସହ ରହିଥିଲେ ଫରମିନା।ଭୋର ପ୍ରାୟ ୩ଟା। ଖୁର୍ସିଦ୍‌ ଫେରିବା ପରେ ଘରର କବାଟ ଭିତରୁ ବନ୍ଦ ଥିଲା। କବାଟ ବାଡେଇବା ପରେ ବି ଫରମିନା କବାଟ ଖୋଲି ନଥିଲେ। ବାଧ୍ୟ ହୋଇ ଏକ ଝରକାରେ ଖୁର୍ସିଦ ଯାହା ଦେଖିଲେ ବିଶ୍ବାସ କରିପାରି ନଥିଲେ। ଭିତର ପଟେ ଫରମିନା ନିଜ ବେକକୁ ଏକ ଛୁରୀରେ କାଟୁଥିବା ଦେଖିଥିଲେ ଖୁର୍ସିଦ।

ଏହା ଦେଖି ଖୁର୍ସିତ ପାଟି କରି ଗାଁ ଲୋକଙ୍କୁ ଡାକିଥିଲେ। ଗାଁ ଲୋକ ଖୁର୍ସିଦଙ୍କ ଘର ପାଖକୁ ଦୌଡ଼ି ଆସିଥିଲେ ।ପରେ ଖୁର୍ସିଦଙ୍କ ପୁତୁରା ସବିର ଖାନ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପଶିବା ପରେ ଦେଖିଲେ, ଫରମିନା ନିଜ ବେକକୁ ଛୁରୀରେ କାଟୁଛନ୍ତି ଓ ପାଖରେ ଚାରି ଝିଅ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଛନ୍ତି। ସାଙ୍ଗେସାଙ୍ଗେ ସବିର , ଫରମିନାଙ୍କ ହାତରୁ ଛୁରୀ ଛଡ଼ାଇ ଆଣି ଫୋପାଡ଼ି ଦେଇଥିଲେ। ଫରମିନାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ତେବେ ଏଭଳି ଏକ ଘଟଣାରେ ପଡ଼ୋଶୀଙ୍କ ଷ୍ଟେଟମେଣ୍ଟ ରେକର୍ଡ କରାଯାଇଥିବା ବେଳେ କେଉଁ କଥାରେ ପ୍ରୋତ୍ସାହିତ ହୋଇ ଫରମିନା ନିଜ ପିଲାଙ୍କ ତଣ୍ଟିକାଟି  ହତ୍ୟା କରିଛନ୍ତି ତାହା ତଦନ୍ତ ଚାଲିଥିବା ପୁନହାନା ଥାନାର ଏସ୍‌ଏଚ୍‌ଓ ସନ୍ତୋଷ କୁମାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.