ବର୍ଷା ବିତ୍ପାତରେ ଗଲାଣି ୪ ଜଣଙ୍କ ଜୀବନ : ବିପଦ ସଙ୍କେତ ଉପରେ ଜଳକା ନଦୀ, ଆଲର୍ଟରେ ବୈତରଣୀ

Published By : Prameya-News7 Bureau | September 14, 2021 IST

ଭୁବନେଶ୍ବର ୧୪।୯: ରାଜ୍ୟର ୧୦ଟି ଜିଲ୍ଲାରେ ୨ଶହ ମିଲିମିଟର ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲାରେ ସ୍ବାଭାବିକଠୁ ଅଧିକ ବର୍ଷା ହୋଇଛି ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର

ପ୍ରଦୀପ କୁମାର ଜେନା କହିଛନ୍ତି । ସେ କହିଛନ୍ତି ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବୀରମହାରାଜପୁରରେ ୫ଶହ ମିଲିମିଟର ଉପରେ ବର୍ଷା ହୋଇଛି । ୬ଟି ବ୍ଲକରେ ୪ଶହ ମିଲିମିଟର ଉପରେ ବର୍ଷା ହୋଇଛି । ୫୬ଟି ବ୍ଲକରେ ୨ ଶହରୁ ୩ଶହ ମିଲିମିଟର ବର୍ଷା ହୋଇଛି । କମ୍ ସମୟରେ ଏତେ ବର୍ଷା ହେଲେ ନଦୀରେ ବନ୍ୟା ନ ଆସିଲେ ବି ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ହେବ । ଜଳବନ୍ଦୀ ହୋଇଛି । ଭୁବନେଶ୍ବର, କଟକ, ବଲାଙ୍ଗୀର, ଭଦ୍ରକ ଭଳି କିଛି ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିଛି ।

ଆହୁରି ମଧ୍ୟ ୨୮ଟି ଜିଲ୍ଲାର ଜିଲ୍ଲପାଳଙ୍କ ସହ ଏସଆରସି ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି । ଅଳ୍ପ କିଛି ସ୍ଥାନରେ ଘର ଭାଙ୍ଗିଛି । ସୋମବାର ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଆଉ ଜଣଙ୍କର ଜୀବନ ଯାଇଛି । ଯେଉଁଠି ପାଣି ଜମିଛି ସେଠି ଚାଷ କ’ଣ କ୍ଷୟକ୍ଷତି ହୋଇଛି ତାହା ଉପରେ ନଜର ରଖି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍ଥାନରେ ଘାଇ ହୋଇଥିଲା ତାକୁ ମରାମତି କରଯାଉଛି । ଯାହା ବର୍ଷା ହେବ ମଙ୍ଗଳବାର ରାତି ସୁଦ୍ଧା ପଶ୍ଚିମ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଜଳକା ନଦୀ ବିପଦ ସଙ୍କେତ ଉପରେ ରହିଛି । ବୈତରଣୀକୁ ଆଲର୍ଟରେ ରଖାଯାଇଛି । ବ୍ରାହ୍ମଣୀ ଉପରେ ବି ନଜର ରଖିଛୁ ବୋଲି ଏସଆରସି କହିଛନ୍ତି ।

ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା କରାଯାଉଛି । ତେଣୁ ହୀରାକୁଦରେ ଜଳସ୍ତର ବଢ଼ିପାରେ । ତାକୁ ଦୃଷ୍ଟିରେ ହୀରାକୁଦର ୬ ରୁ ୭ଟି ଗେଟ୍ ଖୋଲିପାରେ ବୋଲି ଏସଆରସି କହିଛନ୍ତି । କଟକ ମଣ୍ଡୁଳି ଦେଇ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରାଇ ଦେଲେ ବନ୍ୟା ସ୍ଥିତି ଉପୁଜିବନାହିଁ । ଯଦି ଅଧିକ ପାଣି ଆସେ ତେବେ ଅଧିକ ଗେଟ୍ ଖୋଲିବୁ । ତେବେ ମହାନଦୀରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ । ସମସ୍ତ ବିଭାଗକୁ ଦୁଇ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.