ମଦମୁକ୍ତ ବିହାରରେ ପୁଣି ବିଷାକ୍ତ ମଦ ନେଲା ୪ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା

Published By : Prameya-News7 Bureau | August 12, 2022 IST

ପାଟନା ୧୨।୮: ବିହାରରେ ମଦ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ ହୋଇଥିବା ସତ୍ତ୍ବେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ଘଟଣା ଥମିବାର ନାଁ ନେଉନି । ମରାଜ୍ୟରେ ମଦ ପ୍ରସ୍ତୁତି, ବିକ୍ରୟ, ରଖିବା, ପିଇବା ଏବଂ ପିଆଇବା ବେଆଇନ । ଏହା ସତ୍ତ୍ବେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ବନ୍ଦ ହେଉନାହିଁ । ଏବେ ସାରଣରେ ପୁଣି ଥରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ଘଟିଛି । ସାରଣ ଜିଲ୍ଲାର ମଢୌରା ଥାନା ଅନ୍ତର୍ଗତ ଭୁଆଲପୁରରେ ବିଷାକ୍ତ ମଦ ପିଇବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ପରେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁଆଲପୁର ମଢୌରା ବିଧାୟକ ଜିତେନ୍ଦ୍ର ରାୟଙ୍କ ପୈତୃକ ଗାଁ । ଘଟଣାସ୍ଥଳରେ ପୋଲିସ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ପହଞ୍ଚିଛନ୍ତି । ମଦ୍ୟପାନକୁ ନେଇ ଗାଁ ଲୋକେ ନୀରବ ରହିଛନ୍ତି । କିନ୍ତୁ କିଛି ଲୋକ କହିଛନ୍ତି ଯେ ସମସ୍ତେ ମଦ୍ୟପାନ କରିଥିଲେ ।

ପୋଲିସ ସମସ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛପରା ମେଡିକାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।କାରଣ ଆହୁରି ଲୋକ ମଦ୍ୟପାନ କରିଥିବା ସୂଚନା ରହିଛି । ବଦନାମ ଭୟ ଯୋଗୁଁ ଅନେକ ଲୋକ ଲୁଚିଛପି ଚିକିତ୍ସା କରୁଥିବା କୁହାଯାଉଛି । ଗ୍ରାମବାସୀଙ୍କୁ ଅପିଲ୍ କରାଯାଇଛି ଯେ, ଯଦି କେହି ମଦ୍ୟପାନ କରିଛନ୍ତି ତେବେ ତୁରନ୍ତ ସୂଚନା ଦିଅନ୍ତୁ । ଫଳରେ ଠିକ୍ ସମୟରେ ଚିକିତ୍ସା କରାଯାଇ ଜୀବନ ବଞ୍ଚାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.