ବନ୍ଦ ଘରୁ ସ୍ବାମୀ-ସ୍ତ୍ରୀଙ୍କ ସହ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର, ଜବତ ହେଲା ସୁଇସାଇଡ୍ ନୋଟ୍

Published By : Prameya-News7 Bureau | February 14, 2020 IST

ବାରାଣାସୀ ୧୪।୨: ଉତ୍ତରପ୍ରଦେଶ ବାରାଣାସୀରେ ଏକ ଘରୁ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ବାରଣାସୀର ଆଦମପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଦମ୍ପତ୍ତିଙ୍କ ମୃତଦେହ ଗୋଟିଏ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଛି । ଦୁଇ ଛୁଆଙ୍କ ମୃତଦେହ ଅନ୍ୟ ଏକ ରୁମ୍ ରେ ପଡିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବରାଣାସୀ ଆଦମପୁରରୁ ଶୁକ୍ରବାର ସନ୍ଧ୍ୟାରେ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପୋଲିସର ସୂଚନା ଅନୁସାରେ ଘର ମାଲିକ ଚେତନ ଏବଂ ତାଙ୍କ ପତ୍ନୀ ରିତୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ତାଙ୍କ ପୁଅ ହର୍ସ ଏବଂ ଝିଅ ମାନସୀଙ୍କ ମୃତଦେହ ଅନ୍ୟ ଏକ ରୁମ୍ ରୁ ମିଳିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।

ଘଟଣାସ୍ଥଳରୁ ପୋଲିସକୁ ତିନି ପୃଷ୍ଠାର ସୁଇସାଇଡ୍ ନୋଟ୍ ଜବତ ହୋଇଛି । ସୁଇସାଇଡ୍ ନୋଟ୍ ରୁ ଜଣାପଡିଛି ଯେ, ବ୍ୟବସାୟରେ କ୍ଷତି ସହ କରଜରେ ବୁଡି ରହିଥିଲେ । ତେଣୁ ସମସ୍ତେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସଂପର୍କୀୟଙ୍କ ନିକଟକୁ ମୃତ୍ୟୁର ଖବର ଦେବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.