ବିଭିନ୍ନ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ; ୩୧ଟି ମୂଲ୍ୟବାନ ପିତ୍ତଳ ମୁର୍ତ୍ତି ସହ ମାରଣାସ୍ତ୍ର ଜବତ
3/03/2023 at 8:30 PM

ଯାଜପୁର ୦୩/୦୩: ବିଭିନ୍ନ ମନ୍ଦିରରୁ ମୁର୍ତ୍ତି ଚୋରି ରାକେଟ୍ର ପର୍ଦ୍ଦାଫାସ୍ କଲା ପୋଲିସ। ଏହି ଅଭିଯୋଗରେ ଆନ୍ତଃରାଜ୍ୟ ମୁର୍ତ୍ତିଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ଅଷ୍ଟ ଧାତୁ ଓ ପିତ୍ତଳ ମୁର୍ତ୍ତି, ଗୋଟିଏ ବନ୍ଧୁକ ଓ ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ଅରବିନ୍ଦ କୁମାର ସିଂହ, ବାବେର୍ (ଜାଭେଦ୍), ବିଜୟ ଶୁକ୍ଳା(ଉତ୍ତର ପ୍ରଦେଶ)। ସେହିପରି ଶକ୍ତିଧର ନାୟକ ବାଲୱେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଏନେଇ ଯାଜପୁର ଏସପି ବିନିଥ୍ ଅଗ୍ରୱାଲ୍ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଖବର ଅନୁସାରେ, ଗତ କିଛିଦିନ ପୂର୍ବରୁ ଜିଲ୍ଲାର ଜେନାପୁର ଥାନା କୃଷ୍ଣଚନ୍ଦ୍ରପୁର ମନ୍ଦିର, ଯାଜପୁର ଟାଉନ୍ ଥାନା ରଘୁନାଥ ଜୀଉ ମନ୍ଦିର ଏବଂ ଧର୍ମଶାଳା ଥାନା ଅଞ୍ଚଳରେ କିଛି ମନ୍ଦିରରୁ ମୂଲ୍ୟବାନ ଦେବାଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଯାଜପୁର ଏସପି ବିନିତ୍ ଅଗ୍ରୱାଲଙ୍କ ତତ୍ବାବଧାନରେ ପୋଲିସ ଏହାର ତଦନ୍ତ ଜାରି ରଖିଥିଲା। ତେବେ ଗୁରୁବାର ଏହି ଘଟଣାରେ ସମ୍ପୃକ୍ତ ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ ଯାଜପୁର ପୋଲିସ ଠାବ କରିବାରେ ସକ୍ଷମ ହୋଇଛି।

ପୋଲିସ ୪ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଥିବା ବେଳେ ୩୧ ଟି ମୂଲ୍ୟବାନ ମୂର୍ତ୍ତି ଜବତ କରିଛି। ଗିରଫ ୪ ଜଣଙ୍କ ମଧ୍ୟରୁ ଜଣେ ବାଲେଶ୍ୱରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ୩ ଜଣ ଉତ୍ତରପ୍ରଦେଶର ବୋଲି ପୋଲିସ କହିଛି। ଶୁକ୍ରବାର ଅପରାହ୍ଣରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଯାଜପୁର ଏସପି ଗଣମାଧ୍ୟମକୁ ଜଣାଇଛନ୍ତି। ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏନେଇ ଆୟୋଜନ ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସହିତ ଅତିରିକ୍ତ ଏସପି, ଯାଜପୁର ରୋଡ଼ ଏସଡିପିଓ ଏବଂ ବିଭିନ୍ନ ଥାନାର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।