ଛୁଟିରେ ପଠାଇଦିଆଯାଇଥିବା ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ଆଗରୁ ୪ ଆଇବି ଅଧିକାରୀଙ୍କୁ ସଂଦେହଜନକ ଅବସ୍ଥାରେ ଗିରଫ, ସରକାର ଗୁଇନ୍ଦାଗିରି କରୁଥିବା ସନ୍ଦେହ

Published By : Prameya-News7 Bureau | October 25, 2018 IST

ନୂଆଦିଲ୍ଲୀ ୨୫|୧୦: ସିବିଆଇରେ ଅନ୍ତଃକନ୍ଦଳ ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଛୁଟିରେ ପଠାଇଦିଆଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସରକାରୀ ବାସଭବନ ସମ୍ମୁଖରୁ ୪ଜଣ ସଂଦିଗ୍ଧ ଲୋକଙ୍କୁ ଗିରଫ କରାଯାଇଛି । ଆଲୋକ ବର୍ମାଙ୍କ ସୁରକ୍ଷାକର୍ମୀମାନେ ଏହି ୪ଜଣଙ୍କୁ କାବୁ କରିଥିବାବେଳେ ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ ଏମାନଙ୍କୁ ଗିରଫ କରିବାପରେ ଏମାନେ ଇଣ୍ଟିଲିଜେନ୍ସ ବ୍ୟୁରୋ ବା ଆଇବିର ଅଧିକାରୀ ବୋଲି ଜଣାପଡିଛି । ଏହି ୪ଜଣ ହେଲେ ଧୀରଜକୁମାର, ପ୍ରଶାନ୍ତକୁମାର, ବିନୀତ ଗୁପ୍ତା ଏବଂ ଅଜୟକୁମାର । ଏମାନଙ୍କଠୁ ଆଇବିର କାର୍ଡ ଜବତ କରାଯିବା ସହ ଅନ୍ୟ ପରିଚୟ ପତ୍ର ଜବତ କରାଯାଇଛି । ଏମାନେ ସରକାରଙ୍କ ତରଫରୁ ଆଲୋକବର୍ମାଙ୍କ ଗତି ବିଧି ଉପରେ ନଜର ରଖିବା ସହ ଗୁଇନ୍ଦାଗିରି କରୁଥିଲେ ବୋଲି ଅନୁମାନ କରାଯାଉଛି । ପୋଲିସ ପଚରାଉଚରା ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଗତକାଲିଠାରୁ ଏହି ଚାରିଜଣ ଆଲୋକ ବର୍ମାଙ୍କ ଘର ପାଖରେ ସନ୍ଦେହଜନକ ଅବସ୍ଥାରେ ବୁଲାବୁଲି କରୁଥିଲେ । ଏମାନଙ୍କ ଗଡି ମଧ୍ୟ ଆଲୋକବର୍ମାଙ୍କ ସରକାରୀ ବାସଭବନ ପଛପଟେ ଲୁଚାଇ ରଖାଯାଇଥିଲା । ସିବିଆଇରେ ଚାଲିଥିବା ଅନ୍ତଃକନ୍ଦଳ ପାଇଁ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସରକାର ଛୁଟିରେ ଯିବାପାଇଁ ରାତି ଅଧିଆନୋଟିସ  ଜାରୀ କରିଥିଲେ ।  ସେହିପରି ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ସ୍ଥାନାଙ୍କ ବିରୋଧରେ ଲାଂଚ ମାମଲାର ତଦନ୍ତ କରୁଥିବା ଡିଏସପି ଏ.କେ. ବସିଙ୍କୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟବ୍ଲେୟାରକୁ ପଠାଇ ଦିଆଯାଇଛି । ଏପଟେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ସେପଟେ ସିବିଆଇ ମଧ୍ୟରେ ଦେଖା ଦେଇଥିବା ଅନ୍ତଃକନ୍ଦଳକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଶେଷ କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଇବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଘଟଣାକୁ ପ୍ରସଙ୍ଗ କରି ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିବାଦୀୟ ରାଫେଲ ଚୁକ୍ତି ଉପରେ ପ୍ରଶ୍ନ ଉଠାଉଥିଲେ ସିବିଆଇ ନିର୍ଦ୍ଦେଶକ । ଏହା ସହ ଏହି ମାମଲାର ତଦନ୍ତ ମଧ୍ୟ କରିବାକୁ ଚାହୁଁଥିଲେ ଆଲୋକ ବର୍ମା । ତେଣୁ ଅନ୍ତଃକନ୍ଦଳ ବାହାନାରେ ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଥିବା ରାହୁଲ ଗାନ୍ଧି ସଂଗୀନ ଅଭିଯୋଗ ଆଣିଛନ୍ତି । ଆଜି ଆଲୋକ ବର୍ମାଙ୍କ ଘର ଆଗରୁ ୪ଜଣ ଗିରଫ ହେବା ପରେ କଂଗ୍ରେସ ଅଭିଯୋଗ କରିଛି ଯେ, ଆଲୋକ ବର୍ମାଙ୍କୁ ଜବରଦସ୍ତ ଛୁଟିରେ ପଠାଇବା ପରେ କେନ୍ଦ୍ର ସରକାର ଗୁଇନ୍ଦାଗିରି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.