ବସ୍ରେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ, ଚଢାଉ କରି ୪ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ
14/03/2023 at 9:58 AM

ଦେବଗଡ଼ ୧୪।୦୩ : ବସ୍ରୁ ଗଞ୍ଜେଇ ଜବତ । ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ବେସରକାରୀ ବସ୍ରେ ଚଢାଉ କରାଯାଇ ୧୭ କେଜି ଗଞ୍ଜେଇ ଜବତ ହୋଇଛି । ଏହାସହ ଚାରିଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ଖବର ଅନୁଯାୟୀ, ସମ୍ବଲପୁରରୁ ବାରିପଦା ଯାଉଥିବା ନୀଳମାଧବ ବସ୍ରେ ବେଆଇନ୍ ଭାବେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ନିକଟରେ ସୂଚନା ମିଳିଥିଲା । ମିଳିଥିବା ତଥ୍ୟକୁ ଆଧାର କରି ଅବକାରୀ ସବ ଇନ୍ସପେକ୍ଟର ଚନ୍ଦ୍ର ଶେଖର ପଢିଆରୀଙ୍କ ନେତୃତ୍ଵରେ ବସକୁ ଯାଞ୍ଚ କରାଯାଇଥିଲେ। ଯାଞ୍ଚ ସମୟରେ ବସରେ ଥିବା ଏକ ବ୍ୟାଗରୁ ୧୭ ପ୍ୟାକେଟ୍ ଗଞ୍ଜେଇ ମିଳିଥିଲା । ସେହି ଗଞ୍ଜେଇକୁ ନେଇ ଯାଉଥିବା ଚାରିଜଣ ଯୁବକଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।
ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ଗିରଫ ଯୁବକ ମାନଙ୍କ ମଧ୍ୟରେ ଜଣେ କଲେଜ ଛାତ୍ର ରହିଥିବା ଜଣାପଡିଛି । ଗିରଫ ଯୁବକ ମାନଙ୍କୁ କିଏ ଗଞ୍ଜେଇ ଦେଇ ପଠାଉଥିଲା । ସେନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।