ବାଇକ୍ରେ ଚାଲିଥିଲା ବେପାର, ୧୨ କେଜି ଗଞ୍ଜେଇ ସହ ୪ ମାଫିଆ ଗିରଫ
29/05/2023 at 1:31 PM

ବୌଦ୍ଧ ୨୯।୫: ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଅଞ୍ଚଳକୁ ଗଞ୍ଜେଇର ଭୂ-ସ୍ୱର୍ଗ କୁହାଯାଉଛି । ସୋମବାର ଏହି ସ୍ଥାନରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୪ ଜଣ ଗଞ୍ଜେଇ ମାଫିଆଙ୍କୁ ହରଭଙ୍ଗା ପୋଲିସ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ-କୁସଙ୍ଗ ପୂର୍ତ୍ତ ବିଭାଗ ରାସ୍ତା ମହାନଦୀ ବନ୍ୟପ୍ରାଣୀ ଅଞ୍ଚଳ ଦେଇ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ବିଶେଷ ସୂତ୍ରରୁ ଖବର ପାଇ ହରଭଙ୍ଗା ପୋଲିସ ଅଯୋଧ୍ୟା ଛକରେ ଜଗି ବସିଥିଲା । ଏହି ସମୟରେ ଦୁଇଟି ବାଇକ୍ ଆଗ ପଛ ହୋଇ ଯାଉଥିବା ବେଳେ ସନ୍ଦେହରେ ଗାଡି ଦୁଇଟିକୁ ଅଟକାଇ ଯାଞ୍ଚ କରିବାରୁ ଗାଡି ଡ଼ିକି ଓ ସିଟ୍ ତଳେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ଏହାସହ ବାଇକ୍ ଦୁଇଟି ଏବଂ ବାଇକ୍ରେ ଥିବା ନୟାଗଡ ଜିଲ୍ଲାର ଶ୍ରୀକାନ୍ତ ନାଏକ, ଚାନ୍ଦିନୀ ନାଏକ, ତିଳୋତ୍ତମା ନାଏକ ଏବଂ ବୌଦ୍ଧ ଜିଲ୍ଲାର ପ୍ରମିଳା ବେହେରାଙ୍କୁ ଗିରଫ କରିଛି । ତେବେ ଗଞ୍ଜେଇର ଓଜନ ୧୨ କିଲୋଗ୍ରାମ ହୋଇଥିବା ବେଳେ ମାଫିଆଙ୍କ ନାଁରେ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।