ସାଇବର ସୁରକ୍ଷା କ୍ଷେତ୍ରରେ ଭାରତରେ ଖାଲି ପଡ଼ିଛି ୪୦ ହଜାର ଚାକିରି: ରିପୋର୍ଟ
21/06/2023 at 8:46 PM

ନୂଆଦିଲ୍ଲୀ, ୨୧/୦୬: ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ମିଳିବା ପରେ ଏବେ ଦେଶରେ ସାଇବର ସକ୍ୟୁରିଟି ମଧ୍ୟ ଜରୁରୀ ହୋଇପଡ଼ିଛି। ଏଥିପାଇଁ ଏହି ଅନେକ କ୍ଷେତ୍ରରେ ନୂଆ ନୂଆ ଚାକିରି ସୃଷ୍ଟି ହୋଇଛି। ମେ ୨୦୨୩ ସଂଖ୍ୟାକୁ ଦେଖିଲେ ଦେଶରେ ସାଇବର ସିକ୍ୟୁରିଟି କ୍ଷେତ୍ରରେ ପ୍ରାୟ ୪୦ ହଜାର ଚାକିରି ଖାଲିପଡ଼ିଛି। ଆଉ ଏହି ପୋଷ୍ଟ ପାଇଁ ଦରମା ମଧ୍ୟ ଆକର୍ଷଣୀୟ ରହିଛି।
ଟିମ୍ଲିଜ୍ ଡିଜିଟାଲର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ସାଇବର ସିକ୍ୟୁରିଟି ଦକ୍ଷତାର ଚାହିଦା ଦ୍ରୁତ ଭାବରେ ବଢ଼ିଛି। କିନ୍ତୁ ଏହି ଉଦ୍ୟୋଗ ପାଇଁ ଏବେବି ଦକ୍ଷ ଶ୍ରମିକଙ୍କ ଆବଶ୍ୟକତା ଏକ ଚାଲେଞ୍ଜ ଭାବରେ ରହିଛି। ଚାହିଦା ତୁଳନାରେ ଏହି କ୍ଷେତ୍ରରେ ଦକ୍ଷ ବ୍ୟକ୍ତି ଯୋଗାଣ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଛି।
ରହିଛି ଆକର୍ଷଣୀୟ ଦରମା:
ସାଇବର ସକ୍ୟୁରିଟି ପ୍ରୋଫେସନାଲଙ୍କ ଦରମା ପ୍ୟାକେଜ୍ ମଧ୍ୟ ଆକର୍ଷଣୀୟ ରହିଛି। ରିପୋର୍ଟରେ କୁହାଯାଇଛି ଯେ, ଭାଇସ ପ୍ରେସିଡେଣ୍ଟ ଇନଫରମେସନ ସକ୍ୟୁରିଟି କିମ୍ବା ଚିଫ୍ ଇନଫରମେସନ ସକ୍ୟୁରିଟି ଅଫିସର ସ୍ତରରେ ୫୦ ଲକ୍ଷରୁ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍ ମିଳିଥାଏ। ସେହିଭଳି ଆଇଟି ଅଡିଟର ପାଇଁ ୩୦ ଲକ୍ଷ ପର୍ଯ୍ୟନ୍ତ ପ୍ୟାକେଜ୍ ରହିଛି। ଏହି କ୍ଷେତ୍ରରେ ଫ୍ରେସରଙ୍କୁ ମଧ୍ୟ ୬ରୁ ୧୦ ଲକ୍ଷ ଟଙ୍କାର ଦରମା ମିଳିଥାଏ। ଅନୁଭବ ବଢ଼ିବା ସହ ଦରମା ମଧ୍ୟ ବଢ଼ିଥାଏ।
ସୂଚନାଯୋଗ୍ୟ, ସାଇବର ସିକ୍ୟୁରିଟି ଉଦ୍ୟୋଗ ଦ୍ରୁତ ଭାବରେ ବିକଶିତ ହେଉଛି। ଏହି କାରଣରୁ ଲଗାତାର ଭାବରେ ସାଇବର ଆଟାକ୍ ବଢ଼ୁଛି। ୨୦୨୩ ପ୍ରଥମ ତ୍ରୈମାସିକର ପ୍ରତି ସପ୍ତାହର ୨ ହଜାରରୁ ଅଧିକ ସାଇବର ଆଟାକ ସାମ୍ନାକୁ ଆସିଛି। ଯାହା ଗତ ବର୍ଷ ସମାନ ଅବଧି ତୁଳନାରେ ୧୮ ପ୍ରତିଶତ ରହିଥିଲା। ଏମିତିରେ ସାଇବର ସିକ୍ୟୁରିଟି ମାର୍କେଟ ଆହୁରି ଅଧିକ ପ୍ରଶସ୍ତ ହେବା ନେଇ ଅନୁମାନ ରହିଛି। ୨୦୨୭ ସୁଦ୍ଧା ଏହି ମାର୍କେଟ ୩.୫ ବିଲିୟନ ଡଲାର ହୋଇପାରେ।
ଆହୁରି ପଢ଼ନ୍ତୁ: ୧୬ ଦେଶଙ୍କୁ ଟାର୍ଗେଟ କରି ସାଇବର ଆକ୍ରମଣ ଚଳାଇଛନ୍ତି ଚୀନ୍ ଗୁପ୍ତଚର, ଗୁଗଲ ସମର୍ଥିତ ଫାର୍ମର ବୟାନ ପରେ ଚାଞ୍ଚଲ୍ୟ