ଖାଇବାକୁ ନପାଇ ହଷ୍ଟେଲ୍ରୁ ଘରକୁ ଫେରିଗଲେ ୧୪ ଛାତ୍ର; ତଦନ୍ତ ନିର୍ଦ୍ଦେଶ ଦେଲେ ବିଡିଓ
19/01/2023 at 6:35 PM

ବୈପାରିଗୁଡ଼ା ୧୯/୦୧: ଛାତ୍ରାବାସରେ ଖାଇବାକୁ ନପାଇ ଘରକୁ ଫେରିଗଲେ ୧୪ ଜଣ ଛାତ୍ର। ଏଭଳି ଏକ ଅଭାବନୀୟ ଦୃଶ୍ୟ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ରେ ସରକାରୀ ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ଦେଖିବାକୁ ମିଳିଛି। ଛାତ୍ରମାନେ ହଷ୍ଟେଲ୍ ଛାଡ଼ି ରାସ୍ତାରେ ଯିବାବେଳେ ଜଣେ ପୂର୍ବତନ ମହିଳା ସରପଞ୍ଚ ସେମାନଙ୍କୁ ଏକ ଭୋଜନାଳୟ (ହୋଟେଲ୍) ରେ ନେଇ ଖାଇବାକୁ ଦେଇଥିଲେ।
ଖବର ଅନୁସାରେ, ଗତକାଲି ମାଦି, ପାମୀ, ତକାଲ, ମାଲିଗୁଡ଼ା ଆଦି ଗାଁର ପ୍ରାୟ ୧୪ ଜଣ ଛାତ୍ର ଗତକାଲି ବା ବୁଧବାର ଛାତ୍ରବାସ ଛାଡିଛନ୍ତି l ସେମାନେ ତାଙ୍କ ସ୍କୁଲ୍ ବ୍ୟାଗ୍ ନେଇ ହଷ୍ଟେଲ ଛାଡି ରାସ୍ତାରେ ଚାଲି ଚାଲି ସେମାନଙ୍କ ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଏନେଇ ସେମାନଙ୍କୁ ପଚାରିବାରୁ, ଛାତ୍ରାବାସରେ ସେମାନଙ୍କୁ ଠିକ ଭାବେ ଖାଇବାକୁ ମିଳୁନଥିବାରୁ ସେମାନେ ହଷ୍ଟେଲରୁ ଚାଲି ଆସିଥିବା କଥା କହିଛନ୍ତି। ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କ ଏପରି ଅବହେଳାପାଇଁ ଅଭିଭାବକମାନେ ବିଭାଗୀୟ ଅଧିକାରୀଙ୍କ ଦ୍ୱାୟିତ୍ୱବୋଧତା ଉପରେ ପ୍ରଶ୍ନ ଉଠାଇବା ସହିତ ଏନେଇ ସେମାନେ ଜିଲ୍ଲାପାଳଙ୍କ ପାଖେ ଫେରାଦ ହେବେ ବୋଲି କହିଛନ୍ତି।
ସେପଟେ ଓପାସ ଥିବା ୧୪ ଛାତ୍ରଙ୍କୁ ରାସ୍ତାରେ ଯିବାବେଳେ ବୋଦାପୁଟର ପୂର୍ବତନ ମହିଳା ସରପଞ୍ଚ ସେମାନଙ୍କୁ ଛାତ୍ରମାନଙ୍କୁ ଆଶ୍ୱାସନା ଦେବାପରେ ହୋଟେଲକୁ ନେଇ ଖାଇବାକୁ ଦେଇଥିଲେ। ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ବିଭାଗୀୟ ମଙ୍ଗଳ ସମ୍ପସାରଣ ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ପଠାଇବେ ବୋଲି ସେ କହିଛନ୍ତି। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପରିସର ଭିତରତକୁ ଆସିବା ସହିତ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି।