ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ର ତୃଣମୂଳସ୍ତରର ସ୍ଥିତିରେ ସୁଧାର ପାଇଁ ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ଭିଷ୍ଟନ ବେଞ୍ଜାମିନ ସଚିନ ତେନ୍ଦୁଲକରଙ୍କ ସାହାଯ୍ୟ ଲୋଡିଛନ୍ତି। କ୍ରିକେଟ୍ ଓ୍ଵେଷ୍ଟଇଣ୍ଡିଜ ଦୀର୍ଘ ସମୟ ଧରି ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ହେଲେ କିଛି ବର୍ଷ ହେବ ସ୍ଥିତିରେ କିଛିଟା ସୁଧାର ଆସିଛି। ତଥାପି ନିଜ କ୍ରିକେଟ୍କୁ ସଠିକ ଭାବେ ସଞ୍ଚାଳନ ପାଇଁ ଆର୍ଥିକ ଭାବେ ସ୍ଥିର ନାହିଁ ଓ୍ଵେଷ୍ଟଇଣ୍ଡିଜ। ଅର୍ଥାଭାବ କାରଣରୁ କ୍ୟାରିବିୟାନରେ ତୃଣମୂଳସ୍ତରରେ କ୍ରିକେଟ୍କୁ ବହୁତ ପ୍ରଭାବିତ କରିଛି।
ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ର ସୁଧାର ପାଇଁ ବେଞ୍ଜାମିନ କିଛି ସାହାଯ୍ୟ ଆଶାରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ସାହାରା ନେଇଛନ୍ତି। ତାଙ୍କ କହିବା କଥା ସାହାଯ୍ୟ ପାଇଁ ଟଙ୍କାର ଆବଶ୍ୟକ ନାହିଁ। କେବଳ କ୍ରିକେଟ୍ ପାଇଁ ବ୍ୟାଟ୍ କିମ୍ବା ବଲ୍ ଏବଂ ଅନ୍ୟ ଉପକରଣ ଯୋଗାଇଲେ ବହୁତ କିଛି ହେବ।
ସ୍ପୋର୍ଟ୍ସ ସାମ୍ଵାଦିକ ବିମଲ କୁମାର ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଭିଷ୍ଟନ ବେଞ୍ଜାମିନଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଭାରତୀୟ କ୍ରିକେଟ୍ର ଦିଗଜଙ୍କଠୁ ସାହାଯ୍ୟ ମାଗିଛନ୍ତି। ବେଞ୍ଜାମିନ କହିଛନ୍ତି, ପ୍ରଥମେ ସାରଜାରେ ଟୂର୍ଣ୍ଣାମେଣ୍ଟ ହେଉଥିଲା। ଏଠାରେ ବିଭିନ୍ନ ଦେଶର ଖେଳାଳିଙ୍କୁ ଫାଇଦା ମିଳୁଥିଲା। ଏବେ ସ୍ଥିତିରେ ଅନେକ ପରିବର୍ତ୍ତନ ଘଟିଛି। ମୋତେ ପଇସା ଦରକାର ନାହିଁ। ମୁଁ ଚାହୁଁଛି ସାହାଯ୍ୟ ଭାବେ କ୍ରିକେଟ୍ ଉପକରଣ ଯୋଗାଇ ଦିଆଯାଉ। ମୋତେ ୨୦ ହଜାର ଆମେରିକା ଡଲାର ଦରକାର ନାହିଁ। ମୋତେ କେବଳ ଉପକରଣ ଦରକାର, ଯଦ୍ଵାରା ଯୁବ ପିଢିଙ୍କୁ ଏହା ଦେଇ ପାରିବି।
ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ୧୯୮୬ରୁ ୧୯୯୫ ମଧ୍ୟରେ ୨୧ ଟେଷ୍ଟ ଏବଂ ୮୫ ଦିନିକିଆ ଖେଳିଥିବା ବେଞ୍ଜାମିନ ୧୬୧ ଓ୍ଵିକେଟ୍ ନିଜ ନାମରେ କରିଛନ୍ତି। ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଅନୁରୋଧ କରିଛନ୍ତି ଯେ, ମିଷ୍ଟର ତେନ୍ଦୁଲକର…ଯଦି ଆପଣ ସ୍ଥିତିରେ ଅଛନ୍ତି ତେବେ କଣ ଆପଣ ମୋତେ ସାହାଯ୍ୟ କରି ପାରିବେ ? ସେ ନିଜର ଫୋନ ନମ୍ବର ସେୟାର କରି ସଚିନଙ୍କୁ ତାଙ୍କ ସହ କଥା ହେବାକୁ କହିଛନ୍ତି।