ପୂର୍ବତନ ମହାନ ଫୁଟବଲ୍ ଖେଳାଳି ପେଲେଙ୍କ ଅବସ୍ଥା ସଙ୍କଟାପନ୍ନ, ହସ୍ପିଟାଲ୍‌ରେ ଭର୍ତ୍ତି

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: କାତାରରେ ଖେଳାଯାଉଥିବା ଫିଫା ବିଶ୍ଵ କପ୍‌ ମଧ୍ୟରେ ଫୁଟବଲ୍ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ପୂର୍ବତନ ମହାନ ଫୁଟବଲ୍ ଖେଳାଳି ପେଲେଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ସାଓ ପାଉଲୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପେଲେଙ୍କୁ ସ୍ଵାଭାବିକ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଶରୀରର ଅଙ୍ଗରେ କେମୋଥେରାପୀର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା। ଫଳରେ ତାଙ୍କ ଶରୀରର ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଛି। ତାଙ୍କୁ ପେଲିଏଟିଭ୍‌କୁ ସ୍ଥାନାନ୍ତର କରାଯାଇଛି, ଯାହାକୁ ଏଣ୍ଡ ଅଫ ଲାଇଫ୍ କେୟାର କୁହାଯାଏ।

ଆଲବର୍ଟ ଆଇନଷ୍ଟାଇନ୍‌  ହସ୍ପିଟାଲ୍‌ର ଡାକ୍ତରଙ୍କ ଅନୁଯାୟୀ, ପେଲେ କର୍କଟ ରୋଗରେ ପୀଡିତ। ତାଙ୍କ ଶରୀରର ଅନେକ ଅଙ୍ଗ ଅକାମୀ ହୋଇ ପଡିଛି। ତାଙ୍କ ଉପରେ କେମୋଥେରାପୀର କୌଣସି ପ୍ରଭାବ ପଡୁନାହିଁ। ବ୍ରାଜିଲ୍ ଗଣମାଧ୍ୟମ ଅନୁଯାୟୀ, ତାଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି।

ପେଲେଙ୍କ ଅବସ୍ଥା ଦେଖି ଦୁନିଆର ଅନେକ ଫୁଟବଲ୍ ଖେଳାଳି ଟ୍ଵିଟ୍ କରିବା ଆରମ୍ଭ କରି ଦେଇଛନ୍ତି। ପେଲେଙ୍କ ସୁସ୍ଥତା କାମନା କରିଛନ୍ତି। ଫୁଟବଲ୍‌ ବିଶ୍ଵ କପ୍‌ର ଆନୁଷ୍ଠାନିକ ଟ୍ଵିଟର ହ୍ୟାଣ୍ଡେଲରୁ ବି ପେଲେଙ୍କ ପାଇଁ ପ୍ରାର୍ଥନା କରାଯାଇଛି। କାତାର ବିଶ୍ଵ କପ୍‌ର ଆୟୋଜକ ମଧ୍ୟ ପେଲେଙ୍କ ସୁସ୍ଥ କାମନା କରିଛନ୍ତି। ଏକ ଅଟ୍ଟାଳିକାରେ ଲେଜର ଲାଇଟ୍‌  ଜରିଆରେ ପେଲେଙ୍କ ଛବି ପ୍ରଦର୍ଶିତ କରାଯାଇଛି। ସେଥିରେ ଲେଖା ହୋଇଛି ପେଲେ ଶୀଘ୍ର ସୁସ୍ଥ ହୋଇ ଯାଅ।

wp:html
/wp:html

ସାତ ମାସ ପୂର୍ବେ ପେଲେଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ନିୟମିତ ଯାଞ୍ଚ ପରେ ଘରକୁ ଫେରିଥିଲେ। ୨୦୨୧ରେ ୮୨ ବର୍ଷୀୟ ପେଲେଙ୍କ ଅସ୍ତ୍ରୋପଚାର କରାଯାଇ ପେଟରୁ ଟ୍ୟୁମର କଢାଯାଇଥିଲା। ଏହା ପରଠୁ ସେ ନିୟମିତ ହସ୍ପିଟାଲ୍‌ ଯାଉଥିଲେ। ପେଲେଙ୍କ  ହାର୍ଟ ସମ୍ବନ୍ଧିତ ସମସ୍ୟା ରହିଥିଲା। ତାଙ୍କ ଚିକିତ୍ସାକୁ ନେଇ ଡାକ୍ତରୀ ଦଳ ଚିନ୍ତା ବ୍ୟକ୍ତ କରିଛନ୍ତି। କେମୋଥେରାପୀ ଉପଚାରରେ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ।

ପେଲେ ବ୍ରାଜିଲଙ୍କୁ ତିନି ଥର ଚାମ୍ପିଅନ କରାଇଛନ୍ତି। ତାଙ୍କ ପ୍ରତିନିଧିତ୍ଵରେ ବ୍ରାଜିଲ୍ ୧୯୫୮, ୧୯୬୨ ଏବଂ ୧୯୭୦ରେ ବିଶ୍ଵ ଚାମ୍ପିଅନ ହୋଇଥିଲା। ୧୯୫୮ରେ ସୁଦାନ ବିପକ୍ଷ ବିଶ୍ଵ କପ୍ ଫାଇନାଲ୍‌ରେ ସେ ଦୁଇଟି ଗୋଲ୍ ଦେଇଥିଲେ। ପେଲେ ପେଶାଦାର କ୍ୟାରିୟରରେ ମୋଟ୍ ୧୩୬୩ ମ୍ୟାଚ୍ ଖେଳି ୧୨୮୧ ଗୋଲ୍ ଦେଇଛନ୍ତି। ବ୍ରାଜିଲ୍ ପକ୍ଷରୁ ସେ ୯୧ଟି ମ୍ୟାଚ୍‌ ଖେଳି ୭୭ ଗୋଲ୍ ସ୍କୋର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.