ସୁନ୍ଦରଗଡର ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ଦେହାନ୍ତ

Published By : Prameya-News7 Bureau | January 12, 2020 IST

ସୁନ୍ଦରଗଡ ୧୨|୧: ସୁନ୍ଦରଗଡର ପୂର୍ବତନ ସାଂସଦ ମୋରିସ୍ କୁଜୁରଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କୁଜୁରୁ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

୧୯୩୫ ମସିହା ନଭେମ୍ବର ୨ ତାରିଖରେ ମୋରିସ୍ କୁଜୁର ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରିକେଲା ଥାନା ଭାଲୁମୁଣ୍ଡା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ କୋଲକାତାରେ ଶିକ୍ଷା ସମାପ୍ତ କରିବା ପରେ ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ଗାଇବିରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରିଥିଲେ।

ମୋରିସ୍ କୁଜୁର ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ କଂଗ୍ରେସରେ ଯୋଗ ଦେଇ ସେ ୧୯୮୪ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ସେ ୧୯୯୬ ମସିହାରୁ ୨୦୦୨ ଯାଏଁ ରାଜ୍ୟସଭା ସଦସ୍ୟ ବି ଥିଲେ । ୨୦୦୮ରୁ ୨୦୧୧ ମସିହା ଯାଏଁ ମୋରିସ୍ କୁଜୁର କେନ୍ଦ୍ର ସରକାରଙ୍କ ଏସଟି କମିସନର ଅଧ୍ୟକ୍ଷ ଥିଲେ । ତାଙ୍କ ବିୟୋଗରେ ସୁନ୍ଦରଗଡ଼ରେ ଶୋକର ଛାୟା ଖେଳିଯାଇଛି । ଏହାଛଡ଼ା ରାଜନୈତିକ ମହଲରେ ବି ଶୋକର ଛାୟା ଖେଳାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.