ନୂଆଦିଲ୍ଲୀ ୦୧/୧୧: ଜୈସଲାମେର ପୋଲିସ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀଙ୍କୁ ଋଣ ଘୋଟାଲାରେ ଗିରଫ କରିଛି। ଦି ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଜୈସଲାମେରରେ ଏକ ହୋଟେଲ ସହ ଜଡ଼ିତ ମାମଲାରେ ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରାଯାଇଛି। ଏହି ମାମଲା ଗୋଦଓ୍ବାନ ଗ୍ରୁପ୍ର ସମ୍ପତି ସହ ସମ୍ବନ୍ଧିତ । ଏହି ଗ୍ରୁପ୍ ୨୦୦୮ରେ ହୋଟେଲ ନିର୍ମାଣ ପାଇଁ ଏସବିଆଇରୁ ୨୪ କୋଟି ଟଙ୍କା ଋଣ ନେଇଥିଲା।
ମିଳିଥିବା ସୂଚନା ଅନୁସାରେ, ଋଣ ବଦଳରେ ବ୍ୟାଙ୍କ ସମ୍ପତି ଜବତ କରିଥିଲା। ସେତେବେଳେ ୨୦୦ କୋଟି ମୂଲ୍ୟର ସେହି ସମ୍ପତିକୁ କେବଳ ୨୫ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା। ପୋଲିସର ସୂଚନା ମୁତାବିକ, ୨୦୦୮ରେ ଗୁଦଓ୍ବାନ ଗ୍ରୁପ୍ ହୋଟେଲ ପାଇଁ ୨୪ କୋଟି ଟଙ୍କା ଋଣ ନେଇଥିଲା। ଏହି ଗ୍ରୁପର ଅନ୍ୟ ଏକ ହୋଟେଲ ମଧ୍ୟ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରୁପ୍ ଋଣ ପରିଶୋଧ କରିପାରି ନଥିଲା।
ହୋଟେଲକୁ ବ୍ୟାଙ୍କ ପକ୍ଷରୁ ଏନପିଏ (ନନ୍ ପରଫର୍ମିଂ ଆସେଟ୍ସ) ଘୋଷଣା କରିବା ସହ ଦୁଇ ହୋଟେଲ ଜବତ କରାଯାଇଥିଲା। ସେତେବେଳେ ପ୍ରତୀପ ଚୌଧୁରୀ ଏସବିଆଇର ଅଧ୍ୟକ୍ଷ ଥିଲେ। ପରେ ପରେ ଦୁଇଟି ହୋଟେଲକୁ ଆଲକେମିଷ୍ଟ ଆର୍କ କମ୍ପାନୀକୁ ୨୫ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା ।
ତେବେ ୨୦୧୭ରେ ହୋଇଥିବା ଆକଳନରେ ଜଣାପଡ଼ିଥିଲା ଦୁଇ ହୋଟେଲ ଏବଂ ସମ୍ପତିର ମୂଲ୍ୟ ୧୬୦ କୋଟି ଟଙ୍କା ଥିଲା । ବର୍ତ୍ତମାନ ତାହାର ମୂଲ୍ୟ ୨୦୦ କୋଟି ଟଙ୍କା ରହିଛି। ସେପଟେ ପ୍ରତୀପ ଚୌଧୁରୀଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୨୦୧୩ରେ ସାମପ୍ତ ହୋଇଥିଲା। ଅବସର ନେବା ପରେ ପ୍ରତୀପ ଆଲକେମିଷ୍ଟ ଆର୍କ କମ୍ପାନୀର ନିର୍ଦେଶକ ଭାବେ ଯୋଗ ଦେଇଥିଲେ ।