‘କଂଗ୍ରେସ ଆଗ ନିଜ ଘର ସଜାଡ଼ୁ’, ତୃତୀୟ ମୋର୍ଚ୍ଚାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
2/04/2023 at 5:15 PM

ନୂଆଦିଲ୍ଲୀ, ୦୨/୦୪: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୁକାବିଲା ପାଇଁ କଂଗ୍ରେସ ବିରୋଧୀଙ୍କୁ ଏକାଠି ହେବାକୁ ଆହ୍ବାନ କରିଛି। ହେଲେ ଏଥିରେ କିନ୍ତୁ ବ୍ୟତିକ୍ରମ ଦେଖାଦେଲାଭଳି ଅନୁମାନ କରାଯାଉଛି। କଂଗ୍ରେସର ବିରୋଧୀଙ୍କୁ ଏକାଠି କରିବା ଅଭିଯାନକୁ ଏବେ ପୁଣି ଝଟକା ଲାଗିଛି। ଜନତା ଦଳ ସେକ୍ୟୁଲାର(ଜେଡିଏସ)ର ମୁଖ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ରବିବାର କହିଛନ୍ତି ଯେ କଂଗ୍ରେସକୁ ପ୍ରଥମେ ନିଜ ଘର ଠିକ୍ କରିବା ଦରକାର। ଆସନ୍ତା ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଦେବଗୌଡ଼ାଙ୍କ ବୟାନକୁ ନେଇ ଚର୍ଚ୍ଚା ହେଉଛି। କର୍ଣ୍ଣାଟକରେ ଜେଡିଏସ୍ ହେଉଛି ଏକ ପ୍ରମୁଖ ଦଳ।
ଗଣମାଧ୍ୟମ ସହ କଥା ହୋଇ ଦେବଗୌଡ଼ା କହିଛନ୍ତି ଯେ ବିରୋଧୀଙ୍କ ପାଖରେ ଅନେକ ବିକଳ୍ପ ଅଛି ଏବଂ ଦେଶ ପାଖରେ ନେତାଙ୍କ ଅଭାବ ନାହିଁ। ଏହା ସହ କର୍ଣ୍ଣାଟକ ନିର୍ବାଚନ ଏବଂ ଦଳର ପ୍ରସ୍ତୁତିକୁ ନେଇ ସେ କହିଛନ୍ତି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଷୟରେ ସେ କହିଛନ୍ତି ଦଳ ସମଗ୍ର କର୍ଣ୍ଣାଟକରେ ଭଲ ପ୍ରଦର୍ଶନ କରିବ।
ଏହାସହ ବିଜେପି ଏବଂ କଂଗ୍ରେସକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଜାତୀୟ ଦଳଙ୍କୁ ବଡ଼-ବଡ଼ ଏବଂ ମିଥ୍ୟା ପ୍ରତିଶ୍ରୁତି ଦେବାର ଅଭ୍ୟାସ ରହିଛି। ଲୋକେ ଏମାନଙ୍କର ଫମ୍ପା ପ୍ରତିଶ୍ରୁତି ଦେଖିସାରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭାରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନର ପାଇଁ ମୁଡ୍ ପ୍ରସ୍ତୁତ କରିବ। ସେହିପରି ତୃତୀୟ ମୋର୍ଚ୍ଚା ଉପରେ ଜେଡିଏସ୍ ନେତା କହିଛନ୍ତି ଯେ ସବୁକିଛି ସମ୍ଭବ। ମୋର ବିଶ୍ବାସ ଆମେ ଯାହା ବି କରିବୁ ଏହି ଦେଶ ଏବଂ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ପ୍ରଥମ ମୋର୍ଚ୍ଚା ହେବ।