ପାକିସ୍ତାନ ମୁସଲିମ୍ ଲିଗ୍(ଏନ୍)ର ଘୋଷଣା: ପାକିସ୍ତାନ ଫେରିବେ ନୱାଜ ସରିଫ ! ଚିକିତ୍ସା ପାଇଁ ଯାଇଥିଲେ ଲଣ୍ଡନ
16/08/2022 at 6:04 PM

ଇସଲାମାବାଦ ୧୬/୦୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ (ନୱାଜ)ର ନେତା ନୱାଜ ସରିଫ ଆସନ୍ତା ସେପ୍ଟେମ୍ୱର ମାସ ପାକିସ୍ତାନକୁ ଫେରିବେ ବୋଲି କୁହାଯାଇଛି। ପାକିସ୍ତାନର ମୁସଲିମ ଲିଗ (ଏନ)ର ବରିଷ୍ଠ ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି। ନୱାଜଙ୍କ ଭ୍ରଷ୍ଟାଚାର ଓ କ୍ଷମତାର ଦୁରୂପଯୋଗ ପାଇଁ ଲାହୋର ହାଇକୋର୍ଟ ତାଙ୍କୁ କାରାଦଣ୍ଡାଦେଶ ସହିତ ଜୋରିମାନା ଘୋଷଣା କରିଥିଲେ।। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଉନ୍ନତ ଚିକିତ୍ସା ପାଇଁ ସେ ଏବେ ଲଣ୍ଡନ ଯାଇଥିଲେ। ସେବେଠାରୁ ସେଠାରେ ସେ ରହିଆସୁଛନ୍ତି।
ପାକିସ୍ତାନ ମୁସଲିମ ଲିଗ ନୱାଜର ନେତାମାନେ ଏକ ସାମ୍ୱାଦିକ ସମ୍ମିଳନୀ କରି ନୱାଜଙ୍କ ପାକିସ୍ତାନ ଫେରିବା ବିଷୟରେ ଘୋଷଣା କରିଛନ୍ତି। ପିଏମଏଲଏନର ମୁଖପାତ୍ର ଆଜମା ବୁଖାରି ଓ ସଂଘୀୟ ମନ୍ତ୍ରୀ ଯାଭେଦ ଲତିଫ କହିଛନ୍ତି ଡାକ୍ତରମାନେ ନୱାଜ ସରିଫଙ୍କ ପାକିସ୍ତାନ ଫେରିବାକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି, ପାକିସ୍ତାନର ଲୋକମାନେ ନୱାଜଙ୍କୁ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି। ସେ ସେପ୍ଟେମ୍ୱର ମାସ ଲଣ୍ଡନରୁ ପାକିସ୍ତାନ ଫେରିବେ।
ନୱାଜଙ୍କ ସାନ ଭାଇ ଶାହାବାଜ ସରିଫ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଛନ୍ତି। ନୱାଜଙ୍କ ଅନୁପସ୍ଥିତିରେ ସେ ପିଏମଏଲ(ଏନ)ର ପରିଚାଳନା ଓ ଦାୟିତ୍ୱ ନେଇଥିଲେ। ନୱାଜଙ୍କ ଆସିବାକୁ ନେଇ ପିଏମଏଲଏନର ନେତାମାନେ ବହୁତ ଆଶାବାଦୀ ଅଛନ୍ତି କାରଣ କାରଣ ଇମ୍ରାନ ଖାନ୍ଙ୍କ ଦଳ ତେହେରିକ-ଇ-ଇନସାଫକୁ ମାତ୍ ଦେବା ପାଇଁ ରାଜନୀତି ମୈଦାନରେ ନୱାଜଙ୍କର ଆବଶ୍ୟକତା ଥିଲା।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଏବେ ଅସୁସ୍ଥତା କାରଣରୁ ଲଣ୍ଡନରେ ରହୁଛନ୍ତି। ପାକିସ୍ତାନର ପୂର୍ବତନ କ୍ଷମାତାଧୀନ ଦଳ ପିଏମଏଲଏନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନ ଫେରାଇ ଆଣିବାକୁ ସହଜ କରିବାପାଇଁ ବିଧେୟକ ଆଣିବାକୁ ଚିନ୍ତା କରୁଛନ୍ତି ସେଥିପାଇଁ ସେ ଏବେ ପାକିସ୍ତାନକୁ ଫେରିବାକୁ ଚାହୁଁଛନ୍ତି।
ଅଜିଜିଆ ଷ୍ଟିଲ୍ ମିଲ୍ ଦୁର୍ନୀତି ମାମଲାରେ ନୱାଜଙ୍କୁ ୨୦୧୮ରେ ୭ବର୍ଷ କାରାଦଣ୍ଡ ଘୋଷଣା କରାଯାଇଥିଲା। ପରେ ତାଙ୍କୁ ଏଭେନଫିଲ୍ଡ ନାମକ ସମ୍ପତ୍ତିଜନିତ ମାମଲାରେ ତାଙ୍କୁ ୧୧ ବର୍ଷ କାରାଦଣ୍ଡ ସହିତ ୮ ମିଲିୟନ ପାଉଣ୍ଡ ଜୋରିମାନା ଘୋଷଣା କରାଯାଇଥିଲା।
୨୦୧୯ରେ ଲାହୋର ଉଚ୍ଚ ନ୍ୟାୟାଳୟ ତାଙ୍କ ବିରୋଧ ପୂର୍ବରୁ ଘୋଷଣା କରାଯାଇଥିବା କାରାଦାଣ୍ଡ ଆଦେଶକୁ ପ୍ରତ୍ୟାହାର କରି ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ଅନୁମତି ଦେଇଥିଲୋ। ଫଳରେ ୨୦୧୯ ନଭେମ୍ୱର ୧୯ରେ ସେ ଲଣ୍ଡନକୁ ଯାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ନିଜ ଦେଶକୁ ଫେରିନାହାନ୍ତି।