ବନ୍ଧା ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ, ଗିରଫ ପରୱାନାକୁ ରଦ୍ଦ ପାଇଁ ମନା କଲେ କୋର୍ଟ
7/03/2023 at 12:19 PM

ଲାହୋର ୦୭/୦୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଗିରଫ ନିଶ୍ଚିତ । ତାଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ପରୱାନାକୁ ରଦ୍ଦ ପାଇଁ ଇସ୍ଲାମାବାଦ କୋର୍ଟ ମନା କରିଦେଇଛନ୍ତି । ଗତ ସପ୍ତାହରେ ଇମ୍ରାନ୍ କୋର୍ଟରେ ହାଜର ନ ହେବାରୁ ଗିରଫ ପରୱାନା ଜାରି ହୋଇଥିଲା ।
ଏହାପରେ ତାଙ୍କୁ ଗିରଫ କରିବା ଲାଗି ଇସ୍ଲାମାବାଦ ପୁଲିସ ତାଙ୍କ ଲାହୋରସ୍ଥିତ ବାସଭବନକୁ ଯାଇଥିଲା । ହେଲେ ପୁଲିସକୁ ଚକ୍ମା ଦେଇ ପଳାଇବାରେ ସମର୍ଥ ହୋଇଥିଲେ ସେ । ଅନ୍ୟପକ୍ଷରେ ଇମ୍ରାନ୍ ନିଜ ସୁରକ୍ଷା ପାଇଁ ପାକିସ୍ତାନର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ।
କୋର୍ଟରେ ହାଜର ବେଳେ ତାଙ୍କ ଲାଗି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସେ ନେହୁରା ହୋଇଛନ୍ତି । ପାକିସ୍ତାନୀ ନ୍ୟୁଜ୍ ୱେବ୍ସାଇଟ୍ ଏକ୍ସପ୍ରେସ ଟ୍ରିବ୍ୟୁନ୍ ମୁତାବକ ଇମ୍ରାନ୍ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ମୁଁ ଏକ ବଡ଼ କଥା ଆପଣଙ୍କ ଧ୍ୟାନକୁ ଆଣିବାକୁ ଚାହୁଁଛି । ମୋ ବିରୋଧରେ ଅନେକ ଏଫ୍ଆଇଆର୍ ରୁଜୁ ହୋଇଛି । ମୋତେ ବାରମ୍ବାର ହତ୍ୟା ଧମକ ମିଳୁଛି । ବିଶେଷକରି କୋର୍ଟରେ ହାଜର ହେବା ସମୟରେ ମୋ ଉପରେ ଆକ୍ରମଣ ହେବା ଆଶଙ୍କା ରହିଛି । ଏଭଳି ସ୍ଥିତିରେ ମୋ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଅତି ଜରୁରି ହୋଇପଡ଼ିଛି ।
ଉଲ୍ଲେଖଯୋଗ୍ୟ, ରବିବାର ଇମ୍ରାନ୍ଙ୍କୁ ଗିରଫ ପାଇଁ ଇସ୍ଲାମାବାଦ ପୁଲିସ ଲାହୋରସ୍ଥିତ ତାଙ୍କ ବାସଭବନ ଯାଇଥିଲା । କିନ୍ତୁ ସେତେବେଳକୁ ସେ ଛୁ ମାରି ସାରିଥିଲେ । ଇମ୍ରାନ୍ଙ୍କୁ ନ ପାଇ ପୋଲିସ ଖାଲି ହାତରେ ଫେରିଥିଲା । ତେବେ ଅଦାଲତଙ୍କ ନୋଟିସକୁ ଇମ୍ରାନ୍ଙ୍କ ଲୋକମାନେ ଗ୍ରହଣ କରିଥିଲେ । ମାର୍ଚ୍ଚ ୭ରେ ଇମ୍ରାନ୍ କୋର୍ଟରେ ହାଜର ହେବେ ବୋଲି ସେମାନେ କହିଥିଲେ ।
ପୋଲିସ ଫେରିଯିବାର କିଛି ଘଣ୍ଟା ପରେ ଇମ୍ରାନ୍ ବାହାରକୁ ଆସିଥିଲେ । ଏହି ସମୟରେ ସେ ନିଜ ସମର୍ଥକ ଏବଂ ପିଟିଆଇ କର୍ମକର୍ତ୍ତାମାନଙ୍କୁ ସମ୍ବୋଧନ କରି ସରକାର, ପୁଲିସ, ଆଇଏସ୍ଆଇ, ସେନାକୁ ଜୋରଦାର ହମ୍ଲା କରିଥିଲେ । ତେବେ ଇମ୍ରାନ୍ କୌଣସିମତେ ଗିରଫଦାରିକୁ ଏଡ଼ାଇ ପାରିବେ ନାହିଁ । ଏଥିପାଇଁ ସ୍ୱତନ୍ତ୍ର କମାଣ୍ଡୋ ଫୋର୍ସ ପ୍ରସ୍ତୁତ କରାଯାଇଛି ।
ସେପଟେ ନିଜ ଗିରଫଦାରିକୁ ଏଡ଼ାଇବା ପାଇଁ ଇମ୍ରାନ୍ ଖାନ୍ ନିଜ ସମର୍ଥକଙ୍କ ସହାୟତା ନେଇଛନ୍ତି । ଲାହୋରସ୍ଥିତ ନିଜ ଘର ଜମାନ ପାର୍କ ବାହାରେ ସେ ହଜାର ହଜାର ସମର୍ଥକଙ୍କୁ ଏକଜୁଟ କରାଇଛନ୍ତି । ସେମାନେ ଗିରଫକୁ ବିରୋଧ କରୁଛନ୍ତି । ଚାରିପଟୁ ତାଙ୍କ ସମର୍ଥକମାନେ ଲାଠି ଧରି ଛିଡ଼ା ହୋଇଛନ୍ତି । ଏମାନଙ୍କ ମଧ୍ୟରେ ମହିଳା ବି ରହିଛନ୍ତି । ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି ।