ପିସିବି ଉପରେ ବର୍ଷିଲେ କାନାରିଆ; କହିଲେ ହିନ୍ଦୁ ଖେଳାଳିଙ୍କୁ ମିଳୁନି ନ୍ୟାୟ, ବିସିସିଆଇକୁ ମାଗିଲେ ସାହାଯ୍ୟ

Published By : Prameya-News7 Bureau | December 30, 2022 IST

ନୂଆଦିଲ୍ଲୀ: ପୁଣି ଥରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଉପରେ ବର୍ଷିଲେ ପୂର୍ବତନ କ୍ରିକେଟର ଦାନିଶ କାନାରିଆ । ଏଥର ସେ ପିସିବିକୁ ପ୍ରଶ୍ନ କରି କାଠଗଡ଼ାକୁ ଟାଣିଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ ହିନ୍ଦୁ କ୍ରିକେଟରଙ୍କୁ ଘୃଣା ନଜରରେ ଦେଖେ ବୋଲି କହିଛନ୍ତି । ଏହା ସହିତ ସେ ବିସିସିଆଇକୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ।

ସୋସିଆଲ୍ ମିଡିଆ ପ୍ଲାଟ୍ ଫର୍ମରେ ନିଜର ମତ ରଖି ସବୁବେଳେ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ସ୍ପିନର ଦାନିଶ କାନାରିଆ ପୁଣି ଥରେ ପିସିବିକୁ ଟାର୍ଗେଟ୍ କରିଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡରେ ହିନ୍ଦୁ ଖେଳାଳିଙ୍କୁ ଘୃଣା କରାଯାଏ । କାନାରିଆ ଟ୍ବିଟ୍ କରି ଲେଖିଛନ୍ତି, ଦେଶ ବିକ୍ରି କରିଥିବା ଦଲାଲ ଅମିର୍ ଓ ସର୍ଜିଲ ଭଳି ଫିକ୍ସରଙ୍କୁ ପିସିବି ଚୟନ କମିଟି ପୁଣି ଥରେ ଚୟନ କରୁଛି । କାରଣ ସେମାନେ ହିନ୍ଦୁ ନୁହନ୍ତି ମୁସଲିମ୍ । ପିସିବି ହିନ୍ଦୁ କ୍ରିକେଟଙ୍କୁ ଘୃଣା କରେ । ପାକିସ୍ତାନ କ୍ରିକେଟ୍ ବୋର୍ଡରେ ହିନ୍ଦୁ ଖେଳାଳିଙ୍କୁ ନ୍ୟାୟ ମିଳୁନାହିଁ । କ’ଣ ବିସିସିଆଇ ଖେଳାଳିଙ୍କୁ ସାହାଯ୍ୟ କରିବ ବୋଲି ଟ୍ବିଟ୍ କରି ପ୍ରଶ୍ନ ପଚାରିଛନ୍ତି ।

ଆଇସିସିରେ ବିସିସିଆଇର ଦବଦବା ରହିଛି । ୯୦ ପ୍ରତିଶତ ରେଭିନ୍ୟୁ ବିସିସିଆଇ ଦେଉଛି । ଏବାବଦରେ ଭାରତୀୟ କ୍ରିକେଟ୍ ବୋର୍ଡ ତର୍ଜମା କରିବା ଆବଶ୍ୟକ। ପାକିସ୍ତାନରେ ହିନ୍ଦୁ ଖେଳାଳିଙ୍କୁ ନ୍ୟାୟ ଦେବାରେ ବିସିସିଆଇ ସହଯୋଗ କରିବା ଦରକାର ବୋଲି କହିଛନ୍ତି । ଶେଷରେ ‘ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି’ ଲେଖିଛନ୍ତି ।

ନିକଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ବଡ଼ ପରିବର୍ତ୍ତନ ହୋଇଛି । ରମିଜ୍ ରାଜାଙ୍କୁ ଅଧ୍ୟକ୍ଷ ପଦରୁ ବାହାର କରାଯାଇ ନଜମ୍ ସେଠୀଙ୍କୁ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଆସନ୍ତା ୩ମାସ ପର୍ଯ୍ୟନ୍ତ ସେ ପିସିବି ଚିଫ୍ ଭାବେ ଦାୟିତ୍ବ ତୁଲାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.