ବାବରଙ୍କ ଦଳକୁ ପାଠ ପଢାଇଲେ ପାକିସ୍ତାନର ପୂର୍ବତନ ଅଧିନାୟକ, କହିଲେ- ଯାଅ ପ୍ରଥମେ ନିୟମ ଶିଖିକି ଆସ

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ରେ ଭାରତ ରବିବାର ପାକିସ୍ତାନ ବିପକ୍ଷରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ରୋମାଞ୍ଚକର ମୁକାବିଲାରେ ବିରାଟ କୋହଲିଙ୍କ  ସାହସିକ ଇନିଂସ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ଭାରତକୁ ଅବିସ୍ମରଣୀୟ ବିଜୟ ଦେଇଛି। କୋହଲି ୫୩ ବଲ୍‌ରୁ ୮୨ ରନର ଲଢୁଆ ଇନିଂସ ଖେଳି ଭାରତକୁ ବିଜୟୀ କରାଇଛନ୍ତି। ତେବେ ମହମ୍ମଦ ନଓ୍ଵାଜଙ୍କ ଶେଷ ଓଭରର ବିବାଦ ପାଇଁ ଏହି ମ୍ୟାଚ୍‌କୁ ଦୀର୍ଘ ସମୟ ଧରି ମନେ ରଖାଯିବ।

ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ପ୍ରଶଂସକ ବିଜୟର ଉତ୍ସବ ପାଳନ କରିଥିବା ବେଳେ ପାକିସ୍ତାନୀ ଖେଳାଳି ଏବଂ ପ୍ରଶଂସକ ଆମ ସହ ବେଇମାନ କରାଯାଇଥିବା  ଜିଦି ଧରି ବସିଥିଲେ। ଶେଷ ଓଭରରେ ପ୍ରଥମେ ନୋ ବଲ୍‌କୁ ନେଇ ବିବାଦ ହେଲା ଏବଂ ପୁଣି ଡେଡ୍ ବଲ୍ ବିବାଦ। ଏହାକୁ ନେଇ ପୂର୍ବତନ ପାକିସ୍ତାନୀ ଅଧିନାୟକ ସଲମାନ ବଟ୍ଟ ପାକିସ୍ତାନ ଦଳକୁ ପାଠ ପଢାଇଛନ୍ତି।

ଶେଷ ଓଭରରେ ନଓ୍ଵାଜ ବିରାଟଙ୍କୁ ଅଣ୍ଟାଠୁ ଉପରକୁ ଫୁଲଟସ୍‌ ବଲ୍ ଫିଙ୍ଗିଥିଲେ। ଏହାକୁ କୋହଲି ଛକାରେ ପରିଣତ କରିଥିଲେ। ବିରାଟ ଇସାରା କରିବା ପରେ ଅମ୍ପାୟର ଏହାକୁ ନୋ ବଲ୍‌ ଦେଇଥିଲେ ଏବଂ ଫ୍ରି ହିଟ୍ ହୋଇଥିଲା। ଫ୍ରି ହିଟ୍ ବଲ୍‌ରେ ବିରାଟ ବୋଲ୍ଡ ହୋଇଥିଲେ। କିନ୍ତୁ ଫ୍ରି ହିଟ୍‌ ହୋଇଥିବାରୁ ସେ ଆଉଟ୍ ହୋଇନଥିଲେ ଏବଂ ଦିନେଶ କାର୍ତ୍ତିକଙ୍କ ସହ ତିନି ରନ ଦୌଡିଥିଲେ।

ଏହା ପରେ ପାକିସ୍ତାନୀ ଖେଳାଳି ବହୁତ ଅସନ୍ତୁଷ୍ଟ ନଜର ଆସିଥିଲେ। ସେମାନଙ୍କର ତର୍କ ବ୍ୟାଟସମ୍ୟାନଙ୍କୁ ତିନି ରନ ମିଳିବା ଉଚିତ୍ ନୁହେଁ। କାରଣ ବଲ୍‌ ଷ୍ଟମ୍ପରେ ବାଜିଲେ ଡେଡ୍ ବଲ୍ ହୋଇଥାଏ। ଏହାକୁ ନେଇ ସଲମାଟ ବଟ୍ଟ  କହିଛନ୍ତି, ପାକିସ୍ତାନୀ ଖେଳାଳିଙ୍କୁ କ୍ରିକେଟ୍‌ର ନିୟମ ଭଲ ଭାବେ ଜାଣିବା ଉଚିତ୍। ଆମ ନିକଟରେ ଅଲୀମ ଦାର ଏବଂ ହସନ ରଜାଙ୍କ ପରି ଅମ୍ପାୟର ଅଛନ୍ତି ଏବଂ ମ୍ୟାଚ୍ ଅଫିସିଆଲ  ବି ରହିଛନ୍ତି। ସେମାନଙ୍କର ସହାୟତା ନେବା ଉଚିତ୍ ବୋଲି ସଲମାନ ବଟ୍ଟ କହିଛନ୍ତି।

ସେ କହିଛନ୍ତି, ଖେଳାଳିଙ୍କୁ ଏହି ଧରଣର କ୍ଲାସ୍ ନେବା ଉଚିତ୍ ଏବଂ ନିଜର ସମସ୍ତ ସନ୍ଦେହ ଦୂର କରିବା ଉଚିତ୍। କାରଣ ମ୍ୟାଚ୍‌ରେ ଏମିତି ବିରଳ ପରିସ୍ଥିତି ଦେଖିବାକୁ ମିଳିଥାଏ। ମାତ୍ର ଚାପ ସମୟମରେ ପଡିଆରେ ଆଗକୁ ଏମିତି ବି ହୋଇପାରେ। ତେଣୁ ପାକିସ୍ତାନ ଖେଳାଳିଙ୍କୁ କ୍ରିକେଟ୍‌ର ସମସ୍ତ ଗୁଢ ନିୟମ ବିଷୟରେ ଜାଣି ନେବା ଉଚିତ୍ ବୋଲି ସଲମାନ ବଟ୍ଟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.