ଆଖି ବୁଜିଲେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ: ୮୩ ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | April 21, 2023 IST

ଜଗତସିଂହପୁର ୨୧/୦୪: ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ । ଜଣେ ବିଦ୍ୱାନ ରାଜନେତାଙ୍କୁ ହରାଇଲା ରାଜ୍ୟ । ସକାଳେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ହୋଇଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ଅସୁସ୍ଥତା କାରଣରୁ ଗତ ୩୦ ତାରିଖରୁ ସେ ହସ୍ପିଟାଳରେ ଚିକିତ୍ସାଧୀନ ଥିଲେ । ଶୁକ୍ରବାର ସକାଳ ୭ଟାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୮୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଜଗତସିଂହପୁରର ପୂର୍ବତନ ସାଂସଦ । ତାଙ୍କର ରାଜନୀତି କ୍ୟାରିୟରରେ ସେ ୩ ଥର ବିଧାୟକ ଏବଂ ଥରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।

ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ, ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ବର୍ଣ୍ଣନା କରିଛନ୍ତି । ସେ ଥିଲେ ସାଧାରଣ ଲୋକର ବନ୍ଧୁ ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସମର୍ପିତ କରିଥିଲେ ।

ସାଂସଦ, ବିଧାୟକ, ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ତଥା କଟକ ମ୍ୟୁନିସିପାଲଟିର ଚେୟାରମ୍ୟାନ୍ ଭାବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି । ତାଙ୍କର ନିଃସ୍ବାର୍ଥପର ସେବା ପାଇଁ ସ୍ଵର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ଵର୍ଗତଃ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.