ସମାଜ ପାଇଁ ଉଦାହରଣ ସାଜିଲେ ପୂର୍ବତନ ବିଧାୟକ, ପୁଅର ମୃତ୍ୟୁ ପରେ ବୋହୂର କଲେ ଦ୍ୱିତୀୟ ବିବାହ

Published By : Prameya-News7 Bureau | January 25, 2023 IST

ଢେଙ୍କାନାଳ ୨୫/୦୧: କିଛି ମାସ ପରେ ଚର୍ଚ୍ଚାକୁ ଆସିଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । ଏଥର କିନ୍ତୁ ସମାଜ ପାଇଁ ସୃଷ୍ଟି କରିଛନ୍ତି ନିଆରା ଉଦାହରଣ । ତାଙ୍କର ବଡ଼ ପୁଅ ସମ୍ବିତର ମୃତ୍ୟୁ ପରେ ବିଧବା ବୋହୂ ମଧୁସ୍ମିତାର କରାଇଛନ୍ତି ଦ୍ଵିତୀୟ ବିବାହ । ଯାହାକି ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ସଭିଏଁ କହି ବୁଲୁଛନ୍ତି ।

ଉଭୟ ନବୀନ ନନ୍ଦ ଓ ତାଙ୍କ ସମୁଦି ତଥା ମଧୁସ୍ମିତାଙ୍କର ବାପା ନୀଳମଣି ପଣ୍ଡାଙ୍କ ସମ୍ମତି କ୍ରମେ ତାଙ୍କ ବୋହୂର ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ । ଏହି ବାହାଘର ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ" ଲକ୍ଷ୍ମୀ ମନ୍ଦିର" ପରିସରରେ ଅତି ନିରାଡ଼ମ୍ବର ଭାବେ ସମ୍ପର୍ଣ୍ଣ ହୋଇଛି । "ମଧୁସ୍ମିତା"ଙ୍କ ବିବାହ ବାଲେଶ୍ୱର ଜିଲ୍ଲା ରେମୁଣା ନିବାସୀ ସ୍ୱର୍ଗତ କିଶୋର ଚନ୍ଦ୍ର ପତିଙ୍କର ଏକ ମାତ୍ର ପୁତ୍ର "ଶିବ ଚନ୍ଦନ"ଙ୍କ ସହ ଶେଷ ହୋଇଛି ।

ଏହି ବିବାହ ଅବସରରେ ନବୀନ ନନ୍ଦଙ୍କ ଧର୍ମପତ୍ନୀ ରଞ୍ଜିତା ନନ୍ଦ, ବୋହୁ ମଧୁସ୍ମିତାଙ୍କ ଦୁଇ ଭାଇ ସୌମ୍ୟରଞ୍ଜନ ଓ ରଶ୍ମିରଞ୍ଜନଙ୍କ ଉପସ୍ଥିତ ଥିଲେ । ସୂଚନା ଥାଉକି, ଗତ ଦେଢ଼ ବର୍ଷ ପୂର୍ବେ ମହାମାରୀ କୋଭିଡରେ ନବୀନ ନନ୍ଦଙ୍କ ପୁଅ ସମ୍ବିତଙ୍କର ଯୁବ ବୟସରେ ଅକାଳ ବିୟୋଗ ହୋଇଥିଲା । ତାଙ୍କର ଗୋଟିଏ ଶିଶୁ କନ୍ୟା ମଧ୍ୟ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.