ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେପି ଏବଂ ବିଜେଡି ଟିକେଟରେ ହୋଇଛନ୍ତି ୩ଥର ବିଧାୟକ

Published By : Prameya-News7 Bureau | January 14, 2021 IST

ବାଲେଶ୍ବର ୧୪।୧: ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ ଦାସ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜୀବନ ପ୍ରଦୀପ ଦାସ ବିଜେପିରେ ଯୋଗଦେଇଛନ୍ତି । ବାଲେଶ୍ବର ସହରର ଆତିଥ୍ୟ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ବିଜେପିରେ ମିଶିଛନ୍ତି ।

ନଭେମ୍ବର ୬ ତାରିଖରେ ଜୀବନ ପ୍ରଦୀପ ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଉପନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ନଭେମ୍ବର ୫ ତାରିଖରେ ଦଳରୁ ନିଲମ୍ବିତ କରିଥିଲେ ।

ଜୀବନ ପ୍ରଦୀପ ଦାସ ବାଲେଶ୍ବର ସଦର ଆସନରୁ ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନଥିଲେ । ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଜୀବନ ପ୍ରଦୀପ ଲବି କରି ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିଲେ । ତାଙ୍କୁ ଦଳ ପ୍ରାର୍ଥୀ କରି ନ ଥିବାରୁ ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିଜେଡି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ତେବେ ଜୀବନ ପ୍ରଦୀପ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ବର ସଦର ଆସନରେ ବିଜୟୀ ହୋଇଥିଲେ । ତେବେ ଏହା ତାଙ୍କର ଘର ବାହୁଡା ବୋଲି କୁହାଯାଉଛି । ସେପଟେ ଆଗାମୀ ମ୍ୟୁନିସିପାଲିଟି ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଜୀବନ ପ୍ରଦୀପଙ୍କୁ ଦଳରେ ସାମିଲ କରିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.