ଉଦ୍ଧବଙ୍କୁ ପୁଣି ଏକ ବଡ଼ ଝଟକା, ଶିବସେନାରେ ଯୋଗଦେଲେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ
15/03/2023 at 9:28 PM

ନୂଆଦିଲ୍ଳୀ, ୧୫/୦୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା। ଠାକରେ ଗୋଷ୍ଠୀର ଆଉ ଜଣେ ନେତା ଏବଂ ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାଓ୍ବନ୍ତ ଏବେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଶିବସେନାର ଅସ୍ତିତ୍ବ ସିନ୍ଦେଙ୍କ ହାତକୁ ଯିବା ପରଠାରୁ ଉଦ୍ଧବ ଗୋଷ୍ଠୀକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ବିଏମସି ନିର୍ବାଚନ ପୂର୍ବରୁ ଦୀପକ ସାଓ୍ବନ୍ତଙ୍କ ଏକନାଥଙ୍କ ସହ ଯୋଗଦେବାକୁ ଏକ ବଡ଼ ଝଟକା ଭାବରେ ଦେଖାଯାଉଛି। ଏହା ପୂର୍ବରୁ ସୋମବାର ଉଦ୍ଧବ ଠାକରେଙ୍କ ଘନିଷ୍ଠ ନେତା ସୁଭାଷ ଦେସାଇଙ୍କ ପୁଅ ଭୂଷଣ ମଧ୍ୟ ଶିବସେନାରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କୁ ସେହି ସମୟରେ ବଡ଼ ଝଟକା ଦେଇଥିଲେ ଯେତେବେଳେ ସେ ୪୦ ବିଧାୟକଙ୍କ ସହ ଅଲଗା ଗୋଷ୍ଠୀ ଗଢ଼ିଥିଲେ। ଏକନାଥ, କଂଗ୍ରେସ ସହ ଶିବସେନା ମେଣ୍ଟକୁ ଅପବିତ୍ର କରିବା ସହ ବିଶ୍ବାସଘାତକତା କରିଥିବା ନେଇ ଅଭିଯୋଗ କରିଥିଲେ। ଏହା ପରେ ସେ ଏକନାଥ ବିଜେପିକୁ ନିଜର ସମର୍ଥନ ଦେଇଥିଲେ। ବିଜେପି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନଭିସଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ସମସ୍ତଙ୍କୁ ଚକିତ କରିଥିଲା। ଏହା ପରେ ଅନେକ ନେତା ଏବଂ କର୍ମୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିଲେ।