ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ ହସ୍ପିଟାଲ୍ରେ ଭର୍ତ୍ତି
9/02/2023 at 10:43 PM

ରାଞ୍ଚି: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ଶିବୁ ସୋରେନ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ତାଙ୍କୁ ରାଞ୍ଚିର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୋରେନ୍ଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ରହିଥିବା ବେଳେ ତାଙ୍କର କିଡନୀ ଓ ଫୁସ୍ଫୁସ୍ରେ ସଂକ୍ରମଣ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ବର୍ତ୍ତମାନ ସୋରେନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରାଯାଉଛି।
ଝାଡ଼ଖଣ୍ଡରେ ଶିବୁ ସୋରେନ୍ ଜଣେ ଖୁବ୍ ଲୋକପ୍ରିୟ ନେତା। ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଂସ୍ଥାପକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କର ବାପା ମଧ୍ୟ। ୨୦୦୦ ନଭେମ୍ବରରେ ଝାଡ଼ଖଣ୍ଡ ବିହାର ଠାରୁ ଅଲଗା ହୋଇ ଦେଶରେ ୨୮ ତମ ରାଜ୍ୟରେ ହେଲା। ଝାଡ଼ଖଣ୍ଡକୁ ସ୍ୱତନ୍ତ୍ର ରାଜ୍ୟ କରିବାରେ ଶିବୁ ସୋରେନ୍ଙ୍କର ଏକ ବଡ଼ ଭୂମିକା ରହିଛି। ଝାଡ଼ଖଣ୍ଡକୁ ରାଜ୍ୟ ଦାବି କରି ସେ ଅନେକ ସଂଗ୍ରାମ କରିଛନ୍ତି।
ହେଲେ ୨୦୦୦ ପୂର୍ବରୁ ଝଡ଼ଖଣ୍ଡକୁ ଦକ୍ଷିଣ ବିହାର ବୋଲି କୁହାଯାଉଥିଲା। ଝାଡ଼ଖଣ୍ଡ ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟ। ଯେଉଁଠି ପ୍ରାକୃତି ସମ୍ବଳର ଅପୂରଣୀୟ ଉତ୍ସ ରହିଛି। ଝାଡ଼ଖଣ୍ଡକୁ ବିହାର ଠାରୁ ଅଲଗା କରି ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ଦେବାରେ ଶିବୁ ସୋରେନଙ୍କ ସଂଗ୍ରାମ ରାଜ୍ୟ ବିଦିତ। ସେ ୭ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେଥିମଧ୍ୟରୁ ୩ ଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ଦୁଇ ଥର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
୨୦୦୫ରେ ଶିବୁ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ ୮୧ ଆସନ ବିଶିଷ୍ଟ ଝଡ଼ଖଣ୍ଡ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ ନ କରିପାରିବାରୁ ମାତ୍ର ୯ ଦିନରେ ତାଙ୍କ ସରକାର ଭାଙ୍ଗିଯାଇଥିଲା। ଏହାପରେ ପୁଣି ୨୦୦୮ରେ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ମାତ୍ର ୪ ମାସ ସେ ଏହି ପଦରେ ରହିବା ପରେ ତମାର ଉପନିର୍ବାଚନରେ ହାରିଯିବାରୁ ବାଧ୍ୟ ହୋଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ୨୦୦୯ ଜାନୁଆରୀରେ ହୋଇଥିବା ଉପନିର୍ବାଚନରେ ସେ ଝାଡ଼ଖଣ୍ଡ ପାର୍ଟି ପ୍ରାର୍ଥୀ ଗୋପାଳ କ୍ରୃଷ୍ଣ ପଟାରଙ୍କ ଠାରୁ ପରାସ୍ତ ହୋଇଥିଲେ