ନୂଆଦିଲ୍ଲୀ: ଆଲାହାବାଦ ଏବଂ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ଜଜ୍ ରହି ଅବସର ଗ୍ରହଣ କରିଥିବା ଜଷ୍ଟିସ୍ ଡିଏସଆର ବର୍ମା ହାଇଦ୍ରାବାଦ ପୋଲିସର ଏକ ଅଭିଯୋଗ କରିଛନ୍ତି । ଏଥିରେ ତାଙ୍କ ସହ ୨.୫ କୋଟି ଟଙ୍କାର ଜାଲିଆତି ହୋଇଥିବା ସେ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦୁର୍ବୃତ୍ତମାନେ କଥିତ ରୂପେ ବିଜେପି ପାଇଁ ଇଲେକ୍ଟୋରାଲ ବଣ୍ଡ୍ କିଣିବା ନାଁରେ ତାଙ୍କଠାରୁ ଏହି ଟଙ୍କା ନେଇଥିଲେ କିନ୍ତୁ ବଣ୍ଡ୍ କିଣି ନଥିଲେ ।
୨୦୧୦ ମସିହାରେ ନିଜ ସେବାରୁ ଅବସର ନେଇଥିବା ଜଜ୍ ସାହେବ ତିନି ଦିନ ପୂର୍ବେ ଫେବ୍ରୁଆରୀ ୨୭ରେ ହାଇଦ୍ରାବାଦର ଏକ ଥାନାରେ ଏଫଆଇଆର ଦେଇଛନ୍ତି । ଏଥିରେ ସେ କହିଛନ୍ତି ଯେ ତାଙ୍କ ପରିବାର ଲୋକ ମିଳିମିଶି ଏହି ଟଙ୍କା ଏକାଠି କରିଥିଲେ । ଏହାପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଟଙ୍କା ଦେଇଥିଲେ, ଫଳରେ ସେମାନେ ଇଲେକ୍ଟୋରାଲ ବଣ୍ଡ୍ କିଣିପାରିବେ । କିନ୍ତୁ ଏବେ କୌଣସି ବଣ୍ଡ୍ ଜାରି କରାଯାଇ ନାହିଁ । ଅଭିଯୋଗରେ କୁହାଯାଇଛି ଯେ ଏହି ବଣ୍ଡ୍ ବିଜେପି ପକ୍ଷରେ ଜାରି କରାଯାଇଥାନ୍ତା ।
ପଢନ୍ତୁ: ଇଲେକ୍ଟୋରାଲ ବଣ୍ଡ ବନ୍ଦ କରିବା ପଛରେ ଜାଣନ୍ତୁ କାହାର ହାତ? ଏହି NGO କରିଛି ବଡ଼ ଖେଳ
ଏଫଆଇଆରରେ ଯେଉଁ ଦୁଇ ଅଭିଯୁକ୍ତ ନାଁ ରହିଛି, ସେମାନଙ୍କ ମଧ୍ୟରେ ଜଣେ ନରେନ୍ଦ୍ରନ ଏବଂ ଅନ୍ୟ ଜଣେ ସରଥ ରେଡ୍ଡି । ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ ପୂର୍ବତନ ଜଜ୍ ଅଭିଯୋଗ କରିଛନ୍ତି, 'ନରେନ୍ଦ୍ରନ, ଆମ ସମ୍ପର୍କୀୟଙ୍କ ଜଣେ ପରିଚିତ ବ୍ୟକ୍ତି । ଏହାର ଲାଭ ଉଠାଇ ମୋ ପାଖକୁ ଆସିଥିଲା ଏବଂ କେନ୍ଦ୍ରର ଶାସକ ଦଳ ପାଇଁ ଚାନ୍ଦା ମାଗିଥିଲା, ଯାହାକୁ ବଣ୍ଡ୍ ଜରିଆରେ ଗ୍ରହଣ କରାଯିବାର ଥିଲା । ନରେନ୍ଦ୍ରନ ଟଙ୍କା ଗ୍ରହଣ ଦାୟିତ୍ୱ ସରଥକୁ ଦେଇଥିଲା ।'
ପୂର୍ବତନ ଜଜ୍ କହିଛନ୍ତି, 'ସରଥ ରେଡ୍ଡି ତାଙ୍କୁ ଏବଂ ତାଙ୍କ ନାତି-ନାତୁଣୀଙ୍କୁ ଆମେରିକାରେ ସମ୍ମାନଜନକ ସ୍ଥାନ ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା । ଏଥିରେ ତାଙ୍କ ପରିବାର ବିଶ୍ୱାସ କରିଥିଲା ଏବଂ ୨.୫ କୋଟି ଟଙ୍କା ଦେଇଥିଲେ ।' ସେ କହିଛନ୍ତି ଯେ ପ୍ରମାଣ ସ୍ୱରୁପ ହ୍ୱାଟଆପରେ ଅଭିଯୁକ୍ତ ସହ ହୋଇଥିବା ଚାଟ୍ ଅଛି ।