ନୂଆଦିଲ୍ଲୀ ୧୪।୫: ସିବିଆଇ ଦିୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ଲିମିଟେଡ (ଡିଏଚଏଫଏଲ)ର ପୂର୍ବତନ ନିର୍ଦ୍ଦେଶକ ଧିରଜ ୱଧାୱନକୁ ଗିରଫ କରିଛି। ତାଙ୍କୁ ୩୪,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ କରାଯାଇଛି। ସିବିଆଇ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଧିରଜଙ୍କୁ ସୋମବାର ସନ୍ଧ୍ୟାରେ ମୁମ୍ବାଇରେ ଗିରଫ କରାଯାଇଥିଲା ଓ ତାଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି।
କୋର୍ଟ ଧିରଜଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ସିବିଆଇ ତାଙ୍କ ବିରୋଧରେ ୨୦୨୨ରୁ ଚାର୍ଜସିଟ୍ ଦାଖଲ କରି ସାରିଛି। ଧିରଜଙ୍କୁ ଏଜେନ୍ସୀ ଇୟେସ୍ ବ୍ୟାଙ୍କ ଭ୍ରଷ୍ଟାଚାର ମାମଲାରେ ପ୍ରଥମ ଗିରଫ କରିଥିଲା। ସେ ଗିରଫ ହେବା ପରେ ଜାମିନରେ ଥିଲେ। ତେବେ ତାଙ୍କୁ ଏବେ ପୁଣି ଗିରଫ କରାଯାଇଛି। ୧୭ ବ୍ୟାଙ୍କଙ୍କ କନସୋର୍ଟିୟମରୁ ଡିଏଚଏଫଏଲ ୩୪,୦୦୦ କୋଟି ଟଙ୍କା ଋଣ ନେଇଥିଲା। ଏହା ଦେଶର ସବୁଠୁ ବଡ଼ ବ୍ୟାଙ୍କ ଋଣ ଠକେଇ ଭାବେ ଜଣାଶୁଣା। ଏ ବାବଦେ ସିବିଆଇ ପ୍ରଥମେ ମୋକଦ୍ଦମା ରୁଜୁ କରିଥିଲା।