କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ଡେପୁଟି କଲେକ୍ଟର ନିଶାବାଂଗ୍ରେ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | April 14, 2024 IST

ଭୋପାଲ ୧୪।୪:  ଡେପୁଟି କଲେକ୍ଟର ପଦବୀରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିବା ନିଶା ବାଂଗ୍ରେ ରବିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟବାରୀଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଧରାଇ ଦେଇଛନ୍ତି। ନିଶା ତାଙ୍କ ପତ୍ରରେ କଂଗ୍ରେସ ଉପରେ ଷଡ଼ଯନ୍ତ୍ର କରି ବିଧାନସଭା ନିର୍ବାଚନ ଲଢିବାରୁ ତାଙ୍କୁ ରୋକିବା ଓ ପ୍ରତିଶ୍ରୁତି ଦେଇ ମଧ୍ୟ ଲୋକସଭା ନିର୍ବାଚନ ଟିକେଟ ନ ଦେବାର ଅଭିଯୋଗ କରିଛନ୍ତି। 

ନିଶା ତାଙ୍କ ପତ୍ରରେ ଲେଖିଛନ୍ତି ଯେ ସେ ଇଞ୍ଜିନିୟର, ଡିଏସପି ଓ ଡେପୁଟି କଲେକ୍ଟର ଭଳି ରାଜ୍ୟ ପ୍ରଶାସନିକ ପଦରେ ଦାୟିତ୍ୱ ନିର୍ବାହ କରିଛନ୍ତି। ବାବା ସାହେବ ଆମ୍ବେଦକରଙ୍କ ବାର୍ତ୍ତାରେ ପ୍ରେରିତ ହୋଇ ମୁଁ ପ୍ରଶାସନିକ ସେବାର ସର୍ବୋଚ୍ଚ ପଦବୀ ତ୍ୟାଗ କରିଦେଇଛି। ସେତେବେଳେ ଭାବୁଥିଲି କଂଗ୍ରେସ ପାର୍ଟିରୁ ନିର୍ବାଚନ ଲଢି ସମାଜର ଶୋଷିତ, ପୀଡ଼ିତ ଓ ବଞ୍ଚିତ ଲୋକଙ୍କ ପ୍ରତିନିଧିତ୍ୱ କରି ବାବାସାହେବଙ୍କ ସ୍ୱପ୍ନ ସାକାର କରିପାରିବି। ହେଲେ ଏବେ ଦେଖୁଛି କଂଗ୍ରେସ ଏକ ଷଡ଼ଯନ୍ତ୍ରର ଘର। 

ବାବା ସାହେବ କହିଥିଲେ ଯେ ‘କଂଗ୍ରେସ ଏକ ଜଳୁଥିବା ଘର’ ଯାହା ମୁଁ ଏବେ ସଠିକ ଅନୁଭବ କରିପାରୁଛି। କଂଗ୍ରେସ ନିର୍ବାଚନରେ କେବେବି ଆମ୍ବେଦକରଙ୍କୁ ଟିକେଟ୍ ଦେଇନଥିଲା ବରଂ ତାଙ୍କ ବିରୋଧରେ ପ୍ରାର୍ଥୀ ଛିଡା କରି ତାଙ୍କୁ ହରେଇ ଦେଇଥିଲା। କଂଗ୍ରେସ ସେତେବେଳେ ବି ନ୍ୟାୟ କରିପାରିନଥିଲା ଓ କଂଗ୍ରେସ ଏବେବି ନ୍ୟାୟ କରିପାରି ନାହିଁ। ଏଣୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ମୁଁ କଂଗ୍ରେସର ସମସ୍ତ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛି ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି। 

ନିଶା ତାଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଘୋଷଣା କରି ନାହାନ୍ତି। ତେବେ ସେ ବାବା ସାହେବଙ୍କ ସିଦ୍ଧାନ୍ତଗୁଡିକ ଆତ୍ମସାତ କରି ସମାଜ ଓ ଦେଶ ସେବା ନିମନ୍ତେ ସର୍ବଦା ତତ୍ପର ରହିବି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିଶା ବାଂଗରେ ଛାତ୍ରପୁର ଉପଜିଲ୍ଲାପାଳ ଥିବା ବେଳେ ପଦବୀରୁ ଇସ୍ତଫା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ସ୍ୱୀକାର କରାନଯିବାରୁ ସେ ନ୍ୟାୟ ଯାତ୍ରା ବାହାର କରି ତତ୍କାଳୀନ ପ୍ରଦେଶ ସରକାରଙ୍କ ଉପରେ ଚାପ ପକାଇଥିଲେ।

ଏଥି ପାଇଁ ସେ ଉଚ୍ଚ ନ୍ୟାୟାଳୟଙ୍କ ଶରଣ ମଧ୍ୟ ନେଇଥିଲେ। ଗତ ବିଧାନସଭା ନିର୍ବାଚନରେ ତାଙ୍କୁ କଂଗ୍ରେସ ଟିକେଟ ମିଳି ନଥିବା ବେଳେ ଲୋକସଭା ନିର୍ବାଚନରେ ବି ଟିକେଟ ଦିଆଯାଇ ନାହିଁ। ଏଣୁ ନିଶା ଗତ ଜାନୁୟାରୀ ମାସରେ ସରକାରଙ୍କୁ ତାଙ୍କ ଚାକିରୀ ଫେରାଇ ଦେବା ନିମନ୍ତେ ସରକାରଙ୍କୁ ପତ୍ର ଲେଖିଥିଲେ। ଏବେ ସେ କଂଗ୍ରେସ ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡି ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.