ଆଜି ଅପରାହ୍ନରେ ଶୀଲା ଦୀକ୍ଷିତଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର : ଦିଲ୍ଲୀରେ ୨ଦିନ ଶୋକ ପାଳନ
21/07/2019 at 10:47 AM

ନୂଆଦିଲ୍ଲୀ ୨୧/୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ଅପରାହ୍ନ ୨ଟା ୩୦ ରେ କରାଯିବ । ଦିଲ୍ଲୀରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ଶିଲା ଦୀକ୍ଷିତଙ୍କର ଗତକାଲି ଅପରାହ୍ନ ୩.୫୫ ସମୟରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା । ୮୧ ବର୍ଷୀୟା ଏହି ବରିଷ୍ଠ ରାଜନେତ୍ରୀ ହୃଦୟରୋଗରେ ପୀଡିତ ଥିଲେ । ତାଙ୍କ ନିଧନରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ଗତକାଲି ସନ୍ଧ୍ୟା ୬ ଟା ସମୟରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ପାଇଁ ନିଜାମୁଦ୍ଦିନ୍ ସ୍ଥିତ ଆବାସକୁ ଅଣାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଦେବାକୁ ପହଁଚିଥିଲେ । ଦିଲ୍ଲୀର କେଜରିୱାଲ୍ ସରକାର ଶିଲାଙ୍କ ନିଧନରେ ଶୋକରେ ଦିଲ୍ଲୀରେ ୨ ଦିନ ଧରି ରାଜକୀୟ ଶୋକର ଘୋଷଣା କରିଛନ୍ତି । ତାଙ୍କ ପାର୍ଥିବ ଶରୀରକୁ ଆଜି ସକାଳ ୧୧.୩୦ ଟାରେ କଂଗ୍ରେସ ଭବନ ଅଣାଯିବ । ଯେଉଁଠାରେ ୧୨.୧୫ ରୁ ୧.୩୦ ପର୍ଯ୍ୟନ୍ତ ତାଙ୍କ ଅନ୍ତିମ ଦର୍ଶନ ପରେ ପାର୍ଥିବ ଶରୀରକୁ ନିଗମବୋଧ ଘାଟରେ ଅପରାହ୍ନ ୨ଟା ୩୦ରେ ଅନ୍ତିମ ସଂସ୍କାର କରାଯିବ ।

ଶୀଲା ଦୀକ୍ଷିତ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ରହି ସେ ରେକର୍ଡ ସୃଷ୍ଟି କରିଥିଲେ। କିଛି ଦିନ ପାଇଁ ସେ କେରଳର ରାଜ୍ୟପାଳ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଗତ ଜାନୁଆରୀ ମାସରେ ତାଙ୍କୁ ଦିଲ୍ଳୀ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ନେତୃତ୍ବରେ କଂଗ୍ରେସ ଦିଲ୍ଲୀରେ ଗତ ଲୋକସଭା ନିର୍ବାଚନ ଲଢ଼ିଥିଲା। ତେବେ ନିର୍ବାଚନରେ ସେ ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ। ଶୀଲା ଦୀକ୍ଷିତଙ୍କ ଜନ୍ମ ୩୧ ମାର୍ଚ ୧୯୩୮ରେ ପଂଜାବର କପୁରତଲାରେ ହୋଇଥିଲା।

ସେ ଦିଲ୍ଲୀର ‘ଯେସସ୍ ଆଣ୍ଡ୍ ମେରୀ’ ସ୍କୁଲ୍ ରେ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମିରାଣ୍ଡା ହାଉସ୍ କଲେଜରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଶୀଲା ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର କନୌଜରୁ ସାଂସଦ ରହିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳରେ ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିଲା। ବିଶେଷ କରି ଭିତ୍ତିଭୂମି ଏବଂ ଫ୍ଲାଏଓଭର ନିର୍ମାଣରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା।
