କଟକର ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ, ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ

Published By : Prameya-News7 Bureau | September 28, 2022 IST

କଟକ ୨୮/୦୯: ପୂର୍ବତନ କଟକ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ। ୯୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ କଟକର ସାଂସଦ ରହିଥିଲେ। କଂଗ୍ରେସ୍‌ରୁ ସେ ଟିକେଟ୍‌ ପାଇ ସାଂସଦ ହୋଇଥିଲେ। ଗଞ୍ଜାମ ଜିଲ୍ଲା ଆସିକାରେ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ।

ସେ ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା ସହ ଜଣେ ଭଲ ବକ୍ତା ମଧ୍ୟ ଥିଲେ। ଜୟନ୍ତୀ ଓଡିଶାରୁ ଲୋକସଭାକୁ ନିର୍ବାଚିତ ପ୍ରଥମ ମହିଳା ସାଂସଦ ମଧ୍ୟ ଥିଲେ। ୧୯୮୧ ମସିହାରେ ସେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ ।

ଜୟନ୍ତୀ ପଟ୍ଟନାୟକ ୧୯୩୨ ମସିହା ଏପ୍ରିଲ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକ ଓ ବମ୍ବେରେ ଥିବା ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଜୟନ୍ତୀ ୧୯୫୩ରେ ବିବାହ କରିଥିଲେ।

ତାଙ୍କ ରାଜନୈତିକ ଜାବନରେ ମୋଟ ୪ ଥର ସାଂସଦ ଭାବେ ଜନତା ତାଙ୍କୁ ନିର୍ବାଚିତ କରିଥିଲେ। ୧୯୮୧ରେ ପ୍ରଥମ ମହିଳା ଭାବେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ଦ୍ୱିତୀୟ ଥର ୧୯୮୪  ମସିହାରେ ସେ କଟକ ଆସନରୁ ସେ ନିର୍ବାଚିତ ହୋଇଥିଲେ। ପରେ ୧୯୯୮ ମସିହାରେ ବ୍ରହ୍ମପୁର ଆସନରୁ  ନିର୍ବାଚିତ ହୋଇ ପୁଣିଥରେ ସାଂସଦ ହୋଇଥିଲେ। କେବଳ ସେତିକି ନୁହେଁ ୧୯୯୬ରେ ସେ ରାଜ୍ୟସଭାର ତାଙ୍କୁ ରାଜ୍ୟ ସଭା ସାଂସଦ ଭାବେ ମନୋନିତ କରାଯାଇଥିଲା।

୧୯୮୭ ମସିହାରେ ଜୟନ୍ତୀ ପ୍ରଥମ ଓଡ଼ିଆ ଭାବେ ସେ ଅଖିଳ ଭାରତୀୟ ମହିଳା କଂଗ୍ରେସର ସଭାପତି ହୋଇଥିଲେ। ୧୯୯୨ରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଏପରି ଜଣେ ମହିୟସୀ କାଳଜୟୀ ମହିଳାଙ୍କ ମୃତ୍ୟୁରେ ସାରା ଓଡ଼ିଶାରେ  ଶୋକର ଛାୟା ଖେଳିଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.