ବିଜେପିରେ ଯୋଗ ଦେଲେ, ହେଲେ ଗଲାନି କଂଗ୍ରେସ ପ୍ରେମ: ମଞ୍ଚରେ ଶାହାଙ୍କ ଜାଗାରେ କଂଗ୍ରେସ ନେତାକୁ ଧନ୍ୟବାଦ୍ ଦେଇ ଦେଲେ ପୂର୍ବତନ ବିଧାୟକ

Published By : Prameya-News7 Bureau | June 27, 2020 IST

ଅହମ୍ମଦାବାଦ ୨୭।୦୬: ଗୁଜରାଟରେ କଂଗ୍ରେସ ବିଧାୟକ ରହି ସାରିଥିବା ପାଞ୍ଚ ନେତା ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ମାତ୍ର ଆୟୋଜିତ ସ୍ଵାଗତ ସମାରୋହରେ ଏମିତି ଲାଗିଲା, ଯେମିତି ଏହି ନେତା ଏବେ ମଧ୍ୟ କଂଗ୍ରେସକୁ ଭୁଲି ପାରି ନାହାନ୍ତି। ସ୍ଵାଗତ ସମାରୋହରେ କଂଗ୍ରେସରୁ ବିଜେପିରେ ସାମିଲ ନେତାଙ୍କ ପାଟିରେ କଂଗ୍ରେସର ନାମ ରହିଥିଲା।

ଗୁଜରାଟରେ କଂଗ୍ରେସ ପାର୍ଟିକୁ ଅଲବିଦା କହି ସାରିଥିବା କଂଗ୍ରେସର ଆଠ ବିଧାୟକଙ୍କ ମଧ୍ୟରୁ ପାଞ୍ଚ ପୂର୍ବତନ ବିଧାୟକ ଭାରତୀୟ  ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। ଏହି ସମୟରେ ଜିତୁ ଚୌଧୁରୀ, ପ୍ରଦ୍ୟୁମ୍ନ ସିଂହ ଜାଡେଜା, ଜେଭି  କାକଡିଆ, ଅକ୍ଷତ ପଟେଲ ଓ ବୃଜେଶ ମେରଜା  ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

ହେଲେ ବିଜେପିର ଏହି ସ୍ଵାଗତ ସମାରୋହରେ କଂଗ୍ରେସରୁ ବିଜେପିରେ ପାଦ ଥାପିଥିବା ଜିତୁ ଚୌଧୁରୀଙ୍କ ପାଟି ଫିସଲି ଯାଇଥିଲା। ସେ ବିଜେପିରେ ସାମିଲ ନେଇ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଜାଗାରେ ଅମିତ୍ ଚାଓ୍ଵଡାଙ୍କୁ ଧନ୍ୟବାଦ ଦେଇଥିଲେ। ହେଲେ ଯେବେ ତାଙ୍କୁ ନିଜ ଭୁଲ୍ ହୃଦବୋଧ ହେଲା ସେତେ ବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା।

ଜିତୁ ଚୌଧୁରୀ ବିଜେପିରେ ସାମିଲ ହେବା ଉପରେ ଯେବେ ଅମିତ୍ ଚାଓ୍ଵଡାଙ୍କୁ ଧନ୍ୟବାଦ୍ ଦେଲେ ସମାରୋହରେ ଉପସ୍ଥିତ ଲୋକେ ତାଙ୍କ ଭୁଲ୍ ଧରି ନେଇଥିଲେ। ଜିତୁ ଚୌଧୁରୀଙ୍କୁ ଅଟକାଗଲା ସେ ନିଜ ଭୁଲ୍ ବୁଝିପାରିଥିଲେ ଏବଂ ସୁଧାର କରି ଅମିତ୍ ଶାହାଙ୍କୁ ଧନ୍ୟବାଦ୍ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଅମିତ୍ ଚାଓ୍ଵଡା ଗୁଜରାଟ କଂଗ୍ରେସର ସଭାପତି।

ଏହା ବ୍ୟତୀତ ମାର୍ଚ୍ଚରେ କଂଗ୍ରେସରୁ  ଇସ୍ତଫା ଦେଇଥିବା ପ୍ରବୀଣ ମାରୁଙ୍କଠାରେ ମଧ୍ୟ କଂଗ୍ରେସ ପ୍ରେମ ଦେଖିବାକୁ ମିଳିଥିଲା। ପ୍ରବୀଣ ମାରୁ ମଧ୍ୟ ସମାରୋହରେ କଂଗ୍ରେସର ଗୁଣଗାନ କରିଥିଲେ। ପ୍ରବୀଣ ମାରୁ କହିଥିଲେ ଯେ, ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ଯେବେ ତାଙ୍କୁ ରୋକାଗଲା ସେ ନିଜର ଭୁଲ୍ ବୁଝି ପାରିଥିଲେ ଏବଂ ସୁଧାର କରି କହିଲେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.