ପଦ୍ମ ଧରିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ, ଆଜି କଂଗ୍ରେସ ଛାଡିଥିଲେ

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ ୨୫।୦୧: କୁଅଁର ରତନଜୀତ ପ୍ରତାପ ନାରାୟଣ ସିଂହ ଅର୍ଥାତ ଆରପିଏନ ସିଂହ ଶେଷରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ୍ ହୋଇଛନ୍ତି। ପଡରୌନା ରାଜପରିବାରର ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ଆରପିଏନ ସିଂହ କହିଛନ୍ତି, ବିଜେପିରେ ସାମିଲ୍ କରାଇଥିବାରୁ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦେଶର କୀର୍ତ୍ତିପୁଞ୍ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। କିଛି ବର୍ଷରେ ଆମର ମାନନୀୟ ପ୍ରଧାନମନ୍ତ୍ରୀ ପ୍ରାଚୀନ ସଂସ୍କୃତିକୁ ଏକବିଂଶ ଶତାବ୍ଦୀ ସହ ଯୋଡି ରାଷ୍ଟ୍ର ନିର୍ମାଣରେ ଯେଉଁ କାମ କରିଛନ୍ତି, ପୂରା ଦେଶ ଏହାର ପ୍ରଶଂସା କରୁଛି।

wp:html /wp:html

ଆରପିଏନ ସିଂହ କହିଛନ୍ତି, ୩୨ ବର୍ଷ ଧରି ମୁଁ ଗୋଟିଏ ପାର୍ଟିରେ ରହିଛି। ସଚ୍ଚୋଟତା ଏବଂ ଉତ୍ସର୍ଗୀକୃତ ଭାବେ କାମ କରିଛି। ମାତ୍ର ଯେଉଁ ପାର୍ଟିରେ ମୁଁ ଏତେ ବର୍ଷ ଧରି ରହିଲି, ସେହି ପାର୍ଟି ଆଉ ପୂର୍ବ ପରି ରହିନାହିଁ। ପାର୍ଟିରେ ପୂର୍ବର ଚିନ୍ତାଧାରା ବି ନାହିଁ। ଏବେ ରାଷ୍ଟ୍ର ନିର୍ମାଣ ପାଇଁ ଯାହା କରି ପାରିବା କଥା ମୁଁ କରିବି। ଅନେକ ବର୍ଷରୁ ଲୋକେ ମୋତେ ବିଜେପିରେ ଆପଣଙ୍କୁ ମିଶିଯିବା ଉଚିତ୍ ବୋଲି କହି ଆସୁଥିଲେ। ବହୁ ସମୟ ଏହା ଉପରେ ବିଚାର କଲି, ମାତ୍ର ବିଳମ୍ଵ ହେଉପଛେ ଆଜି ଦଳରେ ମିଶିଲି।

ସେ କହିଛନ୍ତି, ଗତ ସାତ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଯେଉଁ ବଡ ବଡ ଯୋଜନା ଉତ୍ତର ପ୍ରଦେଶରେ ହୋଇଛି, ତାକୁ ପୂରା ଦେଶ ଦେଖିଛି। ଗତ ପାଞ୍ଚ ବର୍ଷରେ ଡବଲ୍ ଇଞ୍ଜିନ ସରକାର ଯେଉଁଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି, ତାକୁ ନେଇ ମୁଁ ଗର୍ବିତ। ବହୁ ବର୍ଷ ଧରି ୟୁପିରେ ମୁଁ ରାଜନୀତି କରୁଛି। ଯେଉଁଭଳି ଏହି ସରକାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ କରିଛି, ତାହା ପ୍ରଶଂସନୀୟ। ମୁଁ ପୁଣି ଥରେ ବିଶ୍ଵାସ ଦେବାକୁ ଚାହୁଁଛି ଯେ, ଦେଶ ଏବଂ ୟୁପି ନିର୍ମାଣରେ ଯାହା ମୋତେ ଦଳ କାମ ଦେବ, ମୁଁ କାମ କରିବାକୁ ପ୍ରସ୍ତୁତ ବୋଲି ଆରପିଏନ ସିଂହ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.