ବେଙ୍ଗାଲୁରୁ ୨୪/ ୦୬ : ଭାରତୀୟ ଜନତା ପାର୍ଟିର ଜଣେ ପୂର୍ବତନ କର୍ପୋରେଟରଙ୍କୁ କଟନପେଟ୍ ନିକଟସ୍ଥ ନିଜ ଘର ସମ୍ମୁଖରେ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତକ ହେଉଛନ୍ତିୁ ପୂର୍ବତନ କର୍ପୋରେଟର ରେଖା କଦିରେସ । ରେଖା ତାଙ୍କ ଘର ସମ୍ମୁଖରେ ଅସହାୟମାନଙ୍କୁ ସୁଖିଲା ଖାଦ୍ୟ ବାଣ୍ଟୁଥିବା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ତାଙ୍କୁ ତୁରନ୍ତ କେମ୍ପେ ଗୌଡା ହସ୍ପିଟାଲକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ପୋଲିସ ସୂଚନା ଦେଇଛି ।
ଏହା ପୂର୍ବରୁ ରେଖା କଦିରେସଙ୍କ ସ୍ବାମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ୨୦୧୮ ମସିହା ଫେବୃଆରୀ ୭ ତାରିଖରେ ରେଖାଙ୍କ ସ୍ବାମୀଙ୍କୁ ୨ ଜଣ ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଥିଲେ । ପରେ ସେମାନେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ତେବେ ରେଖାଙ୍କୁ କେଉଁମାନେ ଆକ୍ରମଣ କରି ହତ୍ୟା କରିଛନ୍ତି ତାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିବା ସହିତ ଅଭିଯୁକ୍ତମାନଙ୍କୁ ଖୋଜା ଖୋଜି ଜାରି ରଖିଛି ।