‘ଭଗବାନ ରାମ କାଳ୍ପନିକ ଚରିତ୍ର, ମହର୍ଷି ବାଲ୍ମିକୀ ତାଙ୍କଠୁ ହଜାରେ ଗୁଣ ବଡ଼’: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 21, 2021 IST

ପାଟନା ୨୧/୧୦: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସହଯୋଗୀ ଜୀତନ ରାମ ମାଞ୍ଝୀ ବୁଧବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭଗବାନ ରାମ କାଳ୍ପନିକ ଚରିତ୍ର ଥିଲେ କିନ୍ତୁ ମହର୍ଷି ବାଲ୍ମିକୀ ବାସ୍ତବିକ ଏବଂ ଜଣେ  ମହାପୁରଷ । ପୌରାଣିକ ଗ୍ରନ୍ଥ ରାମାୟଣର ରଚୟିତା ମହର୍ଷି ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଦଳିତ ନେତା ନିଜର ଏହି ଟିପ୍ପଣୀ ଉପରେ ଅଡି ବସିଛନ୍ତି।

ମହର୍ଷି ବାଲ୍ମିକୀ  ଭଗବାନ ରାମଙ୍କଠୁ ହଜାରେ ଗୁଣରେ ବଡ଼ ବୋଲି ସେ କହିଛନ୍ତି। ବୁଧବାର ଦିଲ୍ଲୀରେ ନିଜ ଦଳର ହିନ୍ଦୁସ୍ତାନ ଆଓ୍ବାମ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସେ ଏହି କଥା କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି, ‘ଏହା ମୋର ବ୍ୟକ୍ତିଗତ ବିଚାର । ମୁଁ କାହାର ଭାବନାକୁ ଆଘାତ କରିବାକୁ ଚାହୁଁନି।’ 

ଏହା ବ୍ୟତୀତ ସଂରକ୍ଷଣ ସିଟ୍‌ରେ ନକଲି ପ୍ରମାଣପତ୍ର ଦେଇ ନିର୍ବାଚନ ଲଢ଼ିବା ଉପରେ ସେ କହିଛନ୍ତି, ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୫ ଜଣ ସାଂସଦ ଅନୁସୂଚିତ ଜାତିର ସଂରକ୍ଷିତ ସିଟ୍‌ରୁ ନକଲି ପ୍ରମାଣପତ୍ର ଆଧାରରେ ନିର୍ବାଚିତ ହୋଇଛନ୍ତି। ଏହାର ତଦନ୍ତ ପାଇଁ ସେ ଦାବି ମଧ୍ୟ କରିଛନ୍ତି।

ଅନ୍ୟପଟେ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ତେରଛା ବାଣ ମାରି ଜୀତନ ରାମ କହିଛନ୍ତି, ‘କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ସରକାର ଚେଷ୍ଟା କରୁଥିବେ ନିଶ୍ଚିତ। କିନ୍ତୁ ଏହାର ପରିଣାମ ଦେଖିବାକୁ ମିଳୁନାହିଁ।’  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.