ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଁଝୀ
1/10/2023 at 11:12 PM

ପାଟନା: ଆଉ ନିର୍ବାଚନ ଲଢ଼ିବେ ନାହିଁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ସେକ୍ୟୁଲାର) (ଏଚ୍ଏଏମ୍(ଏସ୍)) ପ୍ରତିଷ୍ଠାତା ଜିତନ ରାମ ମାଁଝୀ। ରବିବାର ନିର୍ବାଚନ ରାଜନୀତିରୁ ସେ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୭୫ ବର୍ଷ ପରେ ଆଉ କୌଣସି ବ୍ୟକ୍ତି ନିର୍ବାଚନ ଲଢ଼ିବା କଥା ନୁହେଁ। ମୋତେ ୭୯ ବର୍ଷ ବୟସ ହେଲାଣି। ତେଣୁ ଆଉ ନିର୍ବାଚନ ଲଢିବି ନାହିଁ ବୋଲି ଶ୍ରୀ ମାଁଝୀ କହିଛନ୍ତି। ସୂଚନା ଥାଉକି ମାଁଝୀ ଅବସର ଘୋଷଣା କରିବା ପରେ ବିଜେପି ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇ ପାରେ ବୋଲି ଚର୍ଚ୍ଚା ହେଉଛି।
ଗତ ଦୁଇ ଦିନ ତଳେ ମାଁଝୀ ଓ ତାଙ୍କ ପୁଅ ତଥା ଏଚ୍ଏଏମ୍(ଏସ୍) ମୁଖ୍ୟ ସନ୍ତୋଷ କୁମାର ସୁମନ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ବିହାର ନିର୍ବାଚନ ପାଇଁ ଆସନ ବୁଝାମାଣାକୁ ନେଇ ଆଲୋଚନା ହୋଇଥାଇପାରେ ବୋଲି କୁହାଯାଉଛି। ବିଜେପିରେ ୭୫ ବର୍ଷ ପରେ ନିର୍ବାଚନ ନ ଲଢ଼ିବାକୁ ନିୟମ ରହିଛି। ତେଣୁ ଜିତନ ରାମ ସନ୍ନ୍ୟାସ ଘୋଷଣା କରିଥାଇପାରନ୍ତି ବୋଲି କୁହାଯାଉଛି।
ସୂଚନା ଥାଉକି ମାଁଝୀଙ୍କ ଦଳ ବିରୋଧୀ ମେଣ୍ଟରୁ ଓହରି ଯିବା ପରେ ଜୁନ ମାସରେ ବିଜେପି ନେତୃତ୍ୱାଧିନ ଏନ୍ଡିଏରେ ଯୋଗ ଦେଇଥିଲେ। ଏବେ ବୟସାଧିକ କାରଣରୁ ସେ ଅବସର ଗ୍ରହଣ କରୁଛନ୍ତି ବୋଲି ମାଝୀ କହିଛନ୍ତି। ଏହା ପୂର୍ବରୁ ବି ସେ ୨୦୨୧ ଜୁଲାଇରେ ଏହା ତାଙ୍କର ଶେଷ ନିର୍ବାଚନ ବୋଲି କହିଥିଲେ ମାଝୀ।
ପଢ଼ନ୍ତୁ-ଗୁଲାମ ନବୀ ହେବାକୁ ଯାଉଛନ୍ତି J&Kର ଆଗାମୀ ଉପରାଜ୍ୟପାଳ? ଜାଣନ୍ତୁ କଣ କହିଲେ ଆଜାଦ୍
ଏନ୍ଡିଏ ସହ ଆସନ ବୁଝାମଣାକୁ ନେଇ ମାଝୀ କହିଛନ୍ତି ଯେ ତାଙ୍କର ଆସନ ବୁଝାମଣା ନେଇ କୌଣସି ସମସ୍ୟା ନାହିଁ। ଏନ୍ଡିଏ ଯାହା ଆସନ ଦେବେ ସେଥିରେ ସେ ରାଜି। ଗୃହମନ୍ତ୍ରୀଙ୍କ ସହ ବୈଠକ ପରେ ମାଝୀ କହିଥିଲେ “ଆମ ଗୃହମନ୍ତ୍ରୀଙ୍କୁ କହିଥିଲୁ ଯ ସେ ଜାଣନ୍ତି ଆମ ପାର୍ଟି ଔକାତ। ଆପଣ ଯେଉଁ ଆସନ ଦେବେ ଆମେ ରାଜି।” ଜିତନ ରାମ ମାଁଝୀଙ୍କର ୪୦ ବର୍ଷର ରାଜନୈତିକ କ୍ୟରିୟର ଭିତରେ ସେ ଅନେକ ଆଗଧାଡ଼ିର ଦଳ କଂଗ୍ରେସ, ଆର୍ଜେଡି, ଜେଡି(ୟୁ) ଏବଂ ବିଜେପି ସହ ମେଣ୍ଟ କରି କ୍ଷମତାରେ ରହିଛନ୍ତି।
ତେବେ ୨୦୧୪ରେ ମାଁଝୀଙ୍କର ରାଜନୈତିକ କ୍ୟରିୟରରେ ଉତ୍ଥାନ ହୋଇଥିଲା। ଲୋକସଭା ନିର୍ବାଚନରେ ଜେଡିୟୁ ଖରାପ ପ୍ରଦର୍ଶନ କରିବା ପରେ ନୀତୀଶ ମାଁଝୀଙ୍କୁ ତାଙ୍କ ମୁଖ୍ୟମନ୍ତ୍ରୀ କରାଇଥିଲେ। ହେଲେ ତାଙ୍କୁ ଆସନ ଛାଡ଼ିବାକୁ କହିବାରୁ ସେ ରାଜି ହୋଇ ନଥିଲେ। ଏହାପରେ ତାଙ୍କୁ ଜେଡିୟୁରୁ ବହିସ୍କାର କରାଯାଇଥିଲା।